ଲଣ୍ଡନ: ପାକିସ୍ତାନ ସହ ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଇଂଲଣ୍ଡ ସିରିଜ୍ ବାତିଲ କରିଥିଲେ । ଏହାକୁ ନେଇ ଇଂଲଣ୍ଡକୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏହି କ୍ରମରେ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟ କିମ୍ବଦନ୍ତୀ ମାଇକେଲ ହୋଲ୍ଡିଂ ମଧ୍ୟ ଇଂଲଣ୍ଡକୁ କଡ଼ା ସମାଲୋଚନା କରିଛନ୍ତି । ପାକିସ୍ତାନ ଯାଗାରେ ଯଦି ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଥାଆନ୍ତା ତେବେ ଇଂଲଣ୍ଡ କେବେ ଏଭଳି ନିଷ୍ପତ୍ତି ନେଇନଥାନ୍ତା ବୋଲି ସେ କହିଛନ୍ତି ।
ଚଳିତ ମାସରେ ଇଂଲଣ୍ଡର ପୁରୁଷ ଓ ମହିଳା ଦଳ ପାକିସ୍ତାନ ଗସ୍ତ କରିବାକୁ ଥିଲା । କିନ୍ତୁ ଇଂଲଣ୍ଡ ଖେଳାଳିଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରଖିବା ଆଳ ଦେଖାଇ ସିରିଜ୍ ବାତିଲ କରିଥିଲା । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଇଂଲଣ୍ଡକୁ କଡ଼ା ସମାଲୋଚନା କରିଥିଲା । କିନ୍ତୁ ଇଂଲଣ୍ଡର ବୋର୍ଡର କୌଣସି ଅଧିକାରୀ ଏହାକୁ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିନଥିଲେ ।
ଏଭଳି ସ୍ଥିତିରେ ମାଇକେଲ୍ ହୋଲ୍ଡିଂ ଏକ ସାକ୍ଷାତକାରରେ କହିଛନ୍ତି ଯେ, "ECBର ବୟାନରେ କୌଣସି ସ୍ପଷ୍ଟୋକ୍ତି ମିଳିପାରିଲା ନାହିଁ । କେହି ବି ଆଗକୁ ଏହି ସ୍ଥିତିର ସମୀକ୍ଷା କରିବାକୁ ଚାହୁଁନାହାନ୍ତି । କାରଣ ସଭିଁଏ ଜାଣିଛନ୍ତି ECB ଯାହା ବି କରିଛି ତାହା ଭୁଲ୍ । ECB ଯେଭଳି ଆଚରଣ କରିଛି, ସେଥିରେ ପ୍ରାଶ୍ଚାତ୍ୟ ଦେଶର ଅହଂକାର ଗନ୍ଧ ବାରି ହୋଇ ପଡ଼ୁଛି । ମାନେ ମୋର ଯେମିତି ଇଚ୍ଛା ମୁଁ ଆପଣଙ୍କ ସହ ସେମିତି ବ୍ୟବହାର କରିବି । ଆପଣଙ୍କ ଉପରେ ତାହାର କଣ ପ୍ରଭାବ ପଡ଼ୁଛି ସେଥିରେ ମୋର ଯାଏ ଆସେ ନାହିଁ ।"
ଏହାପୂର୍ବରୁ ନ୍ୟୁଜିଲାଣ୍ଡ ପାକିସ୍ତାନରେ ସୁରକ୍ଷାଗତ କାରଣ ଦର୍ଶାଇ ପ୍ରଥମ ଦିନିକିଆ ଟସ୍ ପୂର୍ବରୁ ହିଁ ସିରିଜ୍ ବାତିଲ କରି ସ୍ବଦେଶ ଫେରି ଯାଇଥିଲା । ଏହାର ୩ ଦିନ ପରେ ହିଁ ଇଂଲଣ୍ଡ ମଧ୍ୟ ପାକିସ୍ତାନ ସହ ସିରଜ୍ ବାତିଲ୍ କରିବାକୁ ନିସ୍ପତ୍ତି ନେଇଥିଲା । ୨୦୦୫ ମସିହା ପରଠୁ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତ କରିନାହିଁ । ଇଂଲଣ୍ଡ ମହିଳା କ୍ରିକେଟ ଦଳ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଗସ୍ତ କରିନାହିଁ ।
ଏହାକୁ ନେଇ ପାକିସ୍ତାନ ପ୍ରତି ସହାନୁଭୂତି ଜତାଇଛନ୍ତି ମାଇକେଲ ହୋଲ୍ଡିଂ । ସେ କହିଛନ୍ତି ପାକିସ୍ତାନ ସ୍ଥାନରେ ଯଦି ଭାରତ ଥାଆନ୍ତା ତେବେ ଇଂଲଣ୍ଡ କେବେ ଏଭଳି କରିବାକୁ ସାହାସ କରି ନଥାନ୍ତା । ଇଂଲଣ୍ଡ ଯାହା ବି କରିଛି ତାହା ଭୁଲ୍ । କୋଭିଡ ଟିକା ନଆସିବା ପୂର୍ବରୁ ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତ କରିଥିଲା । କିନ୍ତୁ ଇଂଲଣ୍ଡ ଏହାର ସମ୍ମାନ ରଖିବାରେ ବିଫଳ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ