ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଫେରିଲେ ଭେଟେରାନ ଅଲରାଉଣ୍ଡର ଏଞ୍ଜେଲୋ ମାଥ୍ୟୁସ । ଶ୍ରୀଲଙ୍କାର ଜୁନିଅର ମାଲିଙ୍ଗା ଭାବେ ପରିଚିତ ମଥିଶା ପାଥିରାନା କାନ୍ଧରେ ଆଘାତ ପାଇ ବିଶ୍ବକପ୍ ୨୦୨୩ରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଖେଳାଳି ଏଞ୍ଜେଲୋ ମାଥ୍ୟୁସଙ୍କୁ ଦଳରେ ସ୍ଥାନ ମିଳିଛି । ଅକ୍ଟୋବର ୧୦ ତାରିଖରେ ହାଇଦ୍ରାବାଦରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ପାଥିରାନାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହାପରେ ସେ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଦଳରେ ଉପଲବ୍ଧ ହୋଇପାରିନଥିଲେ । ଆହତ ହୋଇ ନିକଟରେ ସେ ଘରକୁ ଫେରିଥିବାବେଳେ ତାଙ୍କର ଆଘାତ ଏବଂ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
- " class="align-text-top noRightClick twitterSection" data="">
ବିଶ୍ବକପ୍ ୨୦୨୩ରେ ଗୁରୁବାର ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡକୁ ଭେଟିବ ଶ୍ରୀଲଙ୍କା । ଏହା ପୂର୍ବରୁ ପାଥିରାନାଙ୍କ ସ୍ଥାନରେ ଶ୍ରୀଲଙ୍କା ସ୍କ୍ବାଡ୍ରେ ବରିଷ୍ଠ ଅଲରାଉଣ୍ଡର ଏଞ୍ଜେଲୋ ମାଥ୍ୟୁସଙ୍କୁ ସାମିଲ କରିଛି ଟିମ୍ ମ୍ୟାନେଜମେଣ୍ଟ । ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଆସୋସିଏସନ ଅଲରାଉଣ୍ଡର ଏଞ୍ଜେଲୋ ମାଥ୍ୟୁସ୍ ଏବଂ ଦ୍ରୁତ ବୋଲର ଦୁଷ୍ମନ୍ତ ଚାମିରାଙ୍କୁ ରିଜର୍ଭ ଖେଳାଳିଭାବେ ଦଳରେ ସାମିଲ କରିଥିଲା । ପାଥିରାନାଙ୍କ ବଦଳରେ ଚାମିରାଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ଥିଲା । ହେଲେ ବ୍ୟାଟିଂ ବିଭାଗକୁ ମଜବୁତ କରିବା ପାଇଁ ମାଥ୍ୟୁସଙ୍କୁ ଦଳରେ ସାମିଲ କରାଯାଇଛି । ୩୬ ବର୍ଷୀୟ ମାଥ୍ୟୁସ୍ ଶ୍ରୀଲଙ୍କା ପାଇଁ ୨୨୧ ଦିନିକିଆ ମ୍ୟାଚ୍ ଖେଳିଥିବାବେଳେ ୪୧.୦୧ ହାରରେ ୫,୮୬୫ ରନ୍ ସଂଗ୍ରହ କରିଛନ୍ତି । ମିଡ୍-ଫାଷ୍ଟ ଗତିରେ ବୋଲିଂ କରି ୧୨୦ ୱିକେଟ ମଧ୍ୟ ପାଇଛନ୍ତି ଏହି ଅଭିଜ୍ଞ ଅଲରାଉଣ୍ଡର । ବର୍ତ୍ତମାନ ମାଥ୍ୟୁସଙ୍କ ଉପସ୍ଥିତି ଦଳକୁ ଫାଇଦା ଦେବ ବୋଲି ଚୟନ କମିଟିର ଆଶା ରହିଛି ।
ପ୍ରକାଶ ଯୋଗ୍ୟ, ଚଳିତ ବିଶ୍ବକପ୍ରେ ଶ୍ରୀଲଙ୍କା ସ୍କ୍ବାଡ୍ର ଦ୍ବିତୀୟ ଖେଳାଳି ଭାବେ ପାଥିରାନା ବିଶ୍ବକପ୍ରୁ ବାଦ ପଡ଼ିଛନ୍ତି । ପାଥିରାନାଙ୍କ ପୂର୍ବରୁ ଦଳର ନିୟମିତ ଅଧିନାୟକ ଦସୁନ୍ ଶଣକା ଆହତଜନିତ ସମସ୍ୟାରୁ ବିଶ୍ବକପ୍ରୁ ବାଦ ପଡ଼ି ଦେଶକୁ ଫେରିଯାଇଛନ୍ତି । ଶଣକାଙ୍କ ସ୍ଥାନରେ ଚମିକା କରୁଣାରତ୍ନେ ଦଳରେ ସାମିଲ ହୋଇଛନ୍ତି । ଶଣକାଙ୍କ ସ୍ଥାନରେ ଅଭିଜ୍ଞ ଖେଳାଳି କୁସଲ ମେଣ୍ଡିସ ଦଳର ଅଧିନାୟକ ଭୂମିକା ତୁଲାଉଛନ୍ତି । ଚଳିତ ବିଶ୍ବକପ୍ରେ ୪ଟି ମ୍ୟାଚ୍ ଖେଳିଥିବା ଶ୍ରୀଲଙ୍କା କେବଳ ଗୋଟିଏ ମ୍ୟାଚ୍ ଜିତି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ଦଳକୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ହିଁ କେବଳ ବିଜୟ ମିଳିଥିଲା । ସେମିଫାଇନାଲ୍ ରେସ୍ରେ ରହିବାକୁ ହେଲେ ଦଳକୁ ବାକି ଥିବା ସବୁ ମ୍ୟାଚ୍ ଗୁଡ଼ିକ ଜିତିବାକୁ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ