ଲଣ୍ଡନ: ଶେଷ ହୋଇଛି ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ । ଦମଦାର ପ୍ରଦର୍ଶନ କରି ଟ୍ରଫି ହାତେଇଛି ଇଂଲଣ୍ଡ । ତେବେ ବିଶ୍ବକପରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଇସିସି ବିଶ୍ବକପ ଦଳ ଘୋଷଣା କରିଛି । ଦଳରେ ଭାରତୀୟ ଓପନର ରୋହିତ୍ ଶର୍ମା ଓ ପେସ ଷ୍ଟାର ଜସପ୍ରୀତ୍ ବୁମରା ସ୍ଥାନ ପାଇଛନ୍ତି । ମାତ୍ର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳି ନାହିଁ ।
ଦଳର ନେତୃତ୍ୱ ଭାର ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଦିଆଯାଇଛି । ଏହି ଟିମରେ ଇଂଲଣ୍ଡର ସର୍ବାଧିକ 4ଜଣ ଖେଳାଳି ସ୍ଥାନ ପାଇଛନ୍ତି । ରୋହିତ୍ଙ୍କ ସହ ଓପନର ଭାବେ ଇଂଲଣ୍ଡର ଜେସନ୍ ରୟଙ୍କୁ ସ୍ଥାନ ମିଳିଛି । 3ୟ ସ୍ଥାନ ପାଇଁ କିୱି କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ସାମିଲ୍ କରାଯାଇଛି । ଇଂଲଣ୍ଡ ମଧ୍ୟକ୍ରମର ମୁଖ୍ୟ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ଚତୁର୍ଥ ସ୍ଥାନ ପାଇଁ ଚୟନ କରାଯାଇଛି ।
ସେହିପରି ବାଂଲାଦେଶର ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ପଞ୍ଚମ ସ୍ଥାନ ରଖାଯାଇଛି । ତାଙ୍କ ସହିତ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଷଷ୍ଠ ସ୍ଥାନ ପାଇଁ ଚୟନ କରାଯାଇଛି । ୱିକେଟକିପର ପାଇଁ ଆଲେକ୍ସ କ୍ୟାରିଙ୍କୁ ସପ୍ତମ ସ୍ଥାନରେ ସୁଯୋଗ ମିଳିଛି । ତେବେ ବୋଲିଂ ବିଭାଗରେ ମିଚେଲ୍ ଷ୍ଟାର୍କଙ୍କୁ ସାମିଲ କରଯାଇଛି । ନବମ ସ୍ଥାନ ପାଇଁ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଛି । ଦଶମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ୍ ଓ ଏକାଦଶ ସ୍ଥାନରେ ଭାରତର ବୁମ୍ରାଙ୍କୁ ଚୟନ କରାଯାଇଛି । ସେହିପରି ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କୁ ଦ୍ୱାଦଶ ଖେଳାଳି ଭାବେ ଏହି ଟିମରେ ସ୍ଥାନ ମିଳିଛି ।
ଆଇସିସି ବିଶ୍ୱକପ୍ ଏକାଦଶ: ରୋହିତ୍ ଶର୍ମା, ଜେସନ୍ ରୟ, କେନ୍ ୱିଲିୟମସନ୍ (କ୍ୟାପଟେନ୍), ଜୋ ରୁଟ୍, ସାକିବ୍ ଅଲ୍ ହାସନ୍, ବେନ୍ ଷ୍ଟୋକ୍ସ, ଆଲେକ୍ସ କ୍ୟାରି (ୱିକେଟକିପର), ମିଚେଲ୍ ଷ୍ଟାର୍କ, ଜୋଫ୍ରା ଆର୍ଚର, ଲକି ଫର୍ଗୁସନ୍, ଯଶପ୍ରୀତ ବୁମ୍ରା। ଦ୍ୱାଦଶ ଖେଳାଳି: ଟ୍ରେଣ୍ଟ ବୋଲ୍ଟ।