ଭୁବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହେବାକୁଯାଉଛି ପୂର୍ବ ଭାରତର ସର୍ବବୃହତ ବ୍ୟାଡମିଣ୍ଟନ ହାଇ ପର୍ଫର୍ମାନ୍ସ ସେଣ୍ଟର (ଏଚ୍ପିସି) । 30 କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହି ସେଣ୍ଟରରେ ରହିବ 10ଟି ବ୍ୟାଡମିଣ୍ଟନ କୋଟ୍ । ଦେଖନ୍ତୁ ଏହି ସେଣ୍ଟରର ଗ୍ରାଫିକାଲ୍ ଲୁକ୍...
ଡାଲମିଆ ଭାରତ ଓ ଗୋପୀଚାନ୍ଦ ବ୍ୟାଡ୍ମିଣ୍ଟନ ଏକାଡେମୀର ମିଳିତ ଉଦ୍ୟମରେ ଏହି ଏକାଡେମୀ ପ୍ରସ୍ତୁତ ହେବ । ଏଥିଲାଗି ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଡାଲମିଆ ଭାରତ ଲିମିଟେଡର ଏମ୍ଡି ପୁନିତ ଡାଲମିଆ ଓ ବ୍ୟାଡ୍ମିଣ୍ଟନ କୋଚ ପି. ଗୋପୀଚାନ୍ଦ ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବ୍ୟାଡ୍ମିଣ୍ଟନ ଏକାଡେମୀର ଏକ ଗ୍ରାଫିକାଲ ପ୍ରେଜଣ୍ଟେସନ ତାଙ୍କ ସାମ୍ନାରେ ରଖିଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ଜଣାପଡିଛି । ଏହି ଏକାଡେମୀ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏଥିଲାଗି 30 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏହି ସେଣ୍ଟର କଳିଙ୍ଗ ଷ୍ଟାଡିୟମ ପରିସରରେ ପ୍ରତିଷ୍ଠା ହେବ । ଡାଲମିଆ ଗ୍ରୁପ ଏହାର ସମସ୍ତ ଖର୍ଚ୍ଚ ବହନ କରିବ, ପରିଚାଳନା ଖର୍ଚ୍ଚ ଗୋପୀଚନ୍ଦ ଫାଉଣ୍ଡେସନ ବହନ କରିବ ଏବଂ ରାଜ୍ୟ ସରକାର ଜାଗା ଲିଜରେ ଯୋଗାଇଦେବେ ବୋଲି ଜଣାପଡିଛି । ଏହା ସହ ଅସ୍ଥାୟୀ ଭାବରେ ଫେବୃଆରୀ ମାସରୁ ଟ୍ରେନିଂ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଡିସେମ୍ବରରୁ ଏକାଡେମୀର ସମସ୍ତ କାମ ଶେଷ ହେବ ବୋଲି କୁହାଯାଉଛି ।