ମୁମ୍ବାଇ: ଚୁଲବୁଲି ଓ ବବଲି ଅଭିନେତ୍ରୀ କାଜୋଲ ଆଜି ନିଜର 45ତମ ଜନ୍ମଦିନ ପାଳନ କରୁଛନ୍ତି । 1974 ଅଗଷ୍ଟ 5 ମୁମ୍ବାଇରେ ଜନ୍ମିତ କାଜୋଲ ମା' ତନୁଜା ଓ ଜେଜେମାଆ ଶୋଭନାଙ୍କ ଭଳି ବଲିଉଡର ସଫଳ ଅଭିନେତ୍ରୀ । କାଜୋଲଙ୍କ ପିତା ସୋମୁ ମୁଖାର୍ଜୀ ଫିଲ୍ମ ନିର୍ଦ୍ଦେଶକ ଥିଲେ । ଅନ୍ୟପଟେ କାଜୋଲଙ୍କ ସାନ ଭଉଣୀ ତନୀଷା ମଧ୍ୟ ବଲିଉଡର ଅଭିନେତ୍ରୀ । କାଜୋଲ ବଲିଉଡର ସିଂଘମ ଅଜୟ ଦେବଗନଙ୍କ ସହ ପ୍ରେମ ବିବାହ କରିଥିଲେ । ଆଜି କାଲୋଜ ଘର ସମ୍ଭାଳିବାରେ ଖୁବ୍ ବ୍ୟସ୍ତ ଅଛନ୍ତି ।
ହୁଏତଃ କାଜୋଲଙ୍କ ଫ୍ୟାନ୍ସଙ୍କୁ ତାଙ୍କ ଖାସ୍ ଅଭ୍ୟାସ ବିଷୟରେ ଜଣାନାହିଁ । କୋଟି କୋଟି ଟଙ୍କାର ମାଲିକିଆଣି କାଜୋଲ ଅନଲାଇନ ସପିଂ କରିବାକୁ ଖୁବ୍ ପସନ୍ଦ କରନ୍ତି । ଏକଥାର ଖୁଲାସା ତାଙ୍କ ସ୍ବାମୀ ଅଜୟ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଟକ ଶୋରେ କରିଥିଲେ ।
ସେ ବ୍ରାଣ୍ଡ ଜିନିଷ କିଣିବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କୁ ଯେଉଁ ଜିନିଷ ଶସ୍ତାରେ ଅନଲାଇନରେ ମିଳେ, ତାହା ସେ କିଣି ନିଅନ୍ତି । ଅନ୍ୟପଟେ କାଜୋଲ ମଧ୍ୟ ସ୍ବାମୀଙ୍କ ବିଷୟରେ ଖୁଲାସା କରି କହିଥିଲେ କି ଅଜୟ ବହୁତ ବ୍ୟକ୍ତିଗତ ମଣିଷ ସେ କୌଣସି ପାର୍ଟିରେ ଯିବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କର ଏହି ଗୁଣକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ ।
ପ୍ରକାଶ ଥାଉକି କାଜୋଲ 1992ରେ ବଲିଉଡରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ‘ବେଖୁଦି’ ଡେବ୍ୟୁ ଫିଲ୍ମ ଥିଲା । ଫିଲ୍ମଟି ରାହୁଲ ରବୈଲଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା । ‘ବେଖୁଦି’ ଫିଲ୍ମଟି ପ୍ରେମ କାହାଣୀ ଉପରେ ଆଧାରିତ । ଫିଲ୍ମରେ କାଜୋଲଙ୍କ ଅପୋଜିଟ କମଲ ସଦାନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଦ୍ବିତୀୟ ଫିଲ୍ମ 1993ରେ ରିଲିଜ ହୋଇଥିଲା ‘ବାଜିଗର’ । ଯେଉଁ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମ ଜରିଆରେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଓ କାଜୋଲ ରାତାରାତି ସଫଳ ଷ୍ଟାର ହୋଇପାରିଥିଲେ ।
1997ରେ ରିଲିଜ ହୋଇଥିବା ଫିଲ୍ମ ‘ଗୁପ୍ତ’ରେ ବେଷ୍ଟ ଭିଲେନ ରୋଲରେ ଅଭିନୟ କରିବା ପାଇଁ କାଜୋଲଙ୍କୁ ଫିଲ୍ମଫେୟର ଆୱାର୍ଡ ମିଳିଥିଲା । ଏହି ଫିଲ୍ମରେ କାଜୋଲଙ୍କ ସହ ମନୀଷା କୋଇରାଲା ଓ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।