ଆମଷ୍ଟରଡାମ୍: ନେଦରଲ୍ୟାଣ୍ଡରେ ଝୁଲିଲା ତାଲା । ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମଣ ଉଗ୍ର ରୂପ ନେବା ପରେ ପୁଣି ଫେରିଲା ଲକଡାଉନ(lockdown) । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ଦେଶରେ ତାଲାବନ୍ଦ ଘୋଷଣା କରିଛନ୍ତି ନେଦରଲ୍ୟାଣ୍ଡ ସରକାର । ପ୍ରଧାନମନ୍ତ୍ରୀ ମାର୍କ ରୁଟେ(Prime Minister Mark Rutte) ଏନେଇ ସୂଚନା ଦେଇଛନ୍ତି ।
ଶନିବାର PM ମାର୍କ ରୁଟେ(Prime Minister Mark Rutte) ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆଜି(ରବିବାର)ଠୁ ଦେଶରେ ତାଲାବନ୍ଦ କରିଛନ୍ତି । ଦେଶରେ ସମସ୍ତ ଅଣ-ଅତ୍ୟାବଶ୍ୟକ ଦୋକାନ, ରେସ୍ତୋରାଁ, ବାର, ସିନେମା ହଲ, ସଂଗ୍ରହାଳୟ ଏବଂ ଥିଏଟରଗୁଡିକ ଆସନ୍ତା ଜାନୁୟାରୀ ୧୪ ତାରିଖ ଯାଏଁ ବନ୍ଦ ରହିବ । ସେହିପରି ସ୍କୁଲଗୁଡିକୁ ଜାନୁୟାରୀ ୯ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କେବଳ ଅତ୍ୟାବଶ୍ୟକୀୟ ସେବାଗୁଡିକୁ କଟକଣାରୁ ବାଦ୍ ଦିଆଯାଇଛି ।
ଏଥିସହ ଗୋଟିଏ ସମୟରେ ଘରକୁ ଦୁଇରୁ ଅଧିକ ଅତିଥି ଆମନ୍ତ୍ରଣ କରିବା ଉପରେ କଟକଣା ଲଗାଯାଇଛି । ଆଗକୁ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସ ଆସୁଥିବାରୁ ଡିସେମ୍ବର ୨୪ ରୁ ୨୬ ତାରିଖ ଯାଏଁ ଅତିବେଶୀରେ ଘରେ ୪ ଜଣ ଅତିଥିଙ୍କ ଆଗମନକୁ ଅନୁମତି ରହିଛି ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମଗ୍ର ବିଶ୍ବ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି ନୂଆ ଭାରିଆଣ୍ଟ ଓମିକ୍ରନ । ଦ୍ରୁତଗତିରେ ମାଡି ଚାଲିଛି କୋରୋନାର ଏହି ନୂଆ ଭାଇରସ । ବିଶେଷକରି ୟୁରୋପ ଏବଂ ଆଫ୍ରିକୀୟ ରାଷ୍ଟ୍ରରେ ସ୍ଥିତି ଉଦବେଗ ଜନକ ରହିଛି । ଏହାକୁ ରୋକିବାକୁ ବିଭିନ୍ନ ରାଷ୍ଟ୍ର କଟକଣା କଡାକଡି କରିଛନ୍ତି । ନେଦରଲ୍ୟାଣ୍ଡ ସରକାର ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି ।