ଲଣ୍ଡନ: ସାରା ବିଶ୍ବରେ ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ । ବିଶ୍ବବାସୀଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ବାଜିରେ ଲଗାଇ ଅବିରତ ସେବା ଯୋଗାଇ ଚାଲିଛନ୍ତି ଏମାନେ । ଏମିତିରେ ଇଂଲଣ୍ଡରେ ଜାତୀୟ ସ୍ବାସ୍ଥ୍ୟସେବା(ଏନଏଚଏସ)ର 72 ବର୍ଷ ପୂର୍ତ୍ତି ଅବସରରେ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ପାଇଁ ରବିବାର ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ । ଯେଉଁଥିରେ ସାମିଲ ହୋଇ ସ୍ବାସ୍ଥ୍ୟକର୍ମୀଙ୍କୁ ସଲାମ ଜଣାଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ।
ରବିବାର ସନ୍ଧ୍ୟା 5ଟା ବେଳେ ଜାତୀୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ସମ୍ମାନାର୍ଥେ ଇଂଲଣ୍ଡବାସୀ ତାଳି ବଜାଇବା ସହ ଦେଶର ସଡକରେ ନୀଳ ଲାଇଟ ଜଳା ଯାଇଥିଲା । ଦେଶର ଡାଉନିଂ ଷ୍ଟ୍ରିଟ, ରୟାଲ ଆଲବର୍ଟ ହଲ, ବ୍ଲାକପୁଲ ଟାୱାର, ଷାର୍ଡ ଓ ୱେମ୍ବଲି ଆର୍କରେ ସ୍ବତନ୍ତ୍ର ଭାବେ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ମାନ ପାଇଁ ସଲାମ ଜଣାଯାଇଥିଲା । ଏଥିସହ କୋରୋନାରେ ଜୀବନ ହାରିଥିବା ଦେଶବାସୀଙ୍କ ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା ମଧ୍ୟ ଆୟୋଜିତ ହୋଇଥିଲା ।
ଇଂଲଣ୍ଡବାସୀ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ଶନିବାର ରାତିରୁ ହିଁ ନିଜ ଘରର ଦ୍ବାର ଓ ଝରକା ପାଖରେ କ୍ୟାଣ୍ଡେଲ ଓ ବତୀ ଜଳାଇଥିବା ଦେଖାଯାଇଥିଲା । ତେବେ 1948 ମସିହାରେ ପ୍ରତିଷ୍ଠା ହୋଇଥିବା ଏନଏଚଏସ ନିଜ ସ୍ବାସ୍ଥ୍ୟସେବା ପାଇଁ ବେଶ ଆଦୃତି ଲାଭ କରିଛି । ସଂସ୍ଥାର 72 ବର୍ଷ ପୂର୍ତ୍ତି ଅବସରରେ ବ୍ରିଟେନ ରାଜ ପରିବାର ପକ୍ଷରୁ ପ୍ରିନ୍ସ ଚାର୍ଲ୍ସ ମଧ୍ୟ ଏକ ଭିଡିଓ ମେସେଜ ଜରିଆରେ ସଲାମ ଜଣାଇଥିଲେ ।
@IANS