ମାନିଲା: ଗତ 78 ଦିନ ହେବ ଲକଡାଉନ କଟକଣାରେ ରହିଥିଲା ଫିଲିପିନ୍ସ ରାଜଧାନୀ ମାନିଲା । ଏହା ବିଶ୍ବର ଦୀର୍ଘତମ ଲକଡାଉନ ହୋଇଥିବା ବେଳେ ସୋମବାର ଏଠାରୁ ସମସ୍ତ କଟକଣା କୋହଳ କରାଯାଇଛି । ଯାହାର ସରକାରୀ ଘୋଷଣା ପରେ ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ନାଗରିକ । ସେପଟେ ଦେଶରେ କୋରୋନା ପ୍ରଭାବ କମିନଥିଲେ ସୁଦ୍ଧା ସରକାର ଅଧିକ ସଂଖ୍ୟକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି ।
ପ୍ରାୟ ସମସ୍ତ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ବିୟୁଟି ସ୍ପା, ସେଲୁନ ଓ ମସାଜ ପାର୍ଲର ଆଦି ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ରହିଛି । ତେଣେ ରେସ୍ତୋରାଁଗୁଡିକ କେବଳ ପାର୍ସଲ ପାଇଁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସମୟରେ ଲକଡାଉନ ଖୋଲିବା ପରେ ଲୋକଙ୍କୁ ସତର୍କ ରହି ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ସରକାରୀ ମୁଖପାତ୍ର ହ୍ୟାରୀ ରୋକ ।
ଦୀର୍ଘ ଦିନ ପରେ ସହରରେ ଲକଡାଉନ କଟକଣା କୋହଳ ହେବା ସତ୍ତ୍ବେ ଖୁସିରେ ଆତ୍ମହରା ନହୋଇ ଅତି ସତର୍କତାର ସହ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଫେସ ମାସ୍କ ଓ ଫେସ ସିଲ୍ଡ ପିନ୍ଧି ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସହ ଅଯଥା ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜନଗହଳୀପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ମଧ୍ୟ କୁହାଯାଇଛି । ତେବେ ଯାତାୟତ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ମେଟ୍ରୋରେ ଯାତ୍ରୀ କ୍ଷମତା 15 ପ୍ରତିଶତ ଓ ବସରେ 35 ପ୍ରତିଶତକୁ ହ୍ରାସ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଫିଲିପିନ୍ସରେ 18,000 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ 64 ପ୍ରତିଶତ ଆକ୍ରାନ୍ତ କେବଳ ମାନିଲାରେ ରହିଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା 957 ଛୁଇଁବା ସହ ଏଯାବତ୍ କେବଳ 3900 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
@IANS