ନ୍ୟୁୟର୍କ: କ୍ୟାନସର ରୋଗର ଦୁଃଖ ଯିଏ ଭୋଗିଛି ସିଏ ଜାଣେ । ରୋଗର କଷ୍ଟ କେବଳ ରୋଗୀଙ୍କୁ ଜଣା । ଏହି ରୋଗ ସହ ଲଢି ସୁସ୍ଥ ହେବ କୌଣସି ବଡ ଯୁଦ୍ଧଠାରୁ କମ ନୁହେଁ । ଆଉ ଏପରି ବିଜେତାଙ୍କୁ ଯୋଦ୍ଧା ଭାବେ ମିଳିଛି ସମ୍ମାନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ।
ଜଣେ କ୍ୟାନସର ପୀଡିତ ଛାତ୍ର ସୁସ୍ଥ ହୋଇ ସ୍କୁଲକୁ ଫେରିଥିଲେ । ତେବେ ତାଙ୍କୁ ଯେପରି ଭାବେ ସ୍ବାଗତ କରାଯାଇଥିଲା ଏଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ ଏପରି ଭାବେ ସମ୍ବର୍ଦ୍ଧନା ମିଳିବ ସେ କେବେବି ଭାବିନଥିଲେ । ସ୍କୁଲରେ ପହଞ୍ଚିବା କ୍ଷଣି ସମସ୍ତ ସହପାଠୀ ଛିଡା ହୋଇ ତାଙ୍କୁ କରତାଳି ଦେଇ ସ୍ବାଗତ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ସାମିଲ ହୋଇଥିଲେ ।
ଉକ୍ତ ବାଳକ ଜଣକ ହେଉଛନ୍ତି 6 ବର୍ଷିୟ ଜନ ଓଲିଭର ଜିପ୍ପେ । ୨୦୧୬ରେ ତାଙ୍କ ଠାରେ ଲ୍ୟୁକେମିଆ ଚିହ୍ନଟ ହୋଇଥିଲା । ଯାହା ଧିରେ ଧିରେ ସାଙ୍ଘାତିକ କ୍ୟାନସର ରୋଗର ରୂପ ନେଇଥିଲା । ସେତେବେଳେ ତାଙ୍କୁ ମାତ୍ର ତିନି ବର୍ଷ ହୋଇଥିଲା । କ୍ୟାନସର ଚିହ୍ନଟ ହେବା ପରେ ତାଙ୍କ ବାପାମାଆ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିଥିଲେ । ଦୀର୍ଘ 3 ବର୍ଷ ଧରି କ୍ୟାନସର ଭଳି ରୋଗ ସହ ଲଢିଥିଲେ ଓଲିଭର ।
ଛୋଟ ପିଲାଟିର ସାହସ ଓ ଧୈର୍ଯ୍ୟକୁ ଡାକ୍ତର ଖୁବ ପ୍ରଶଂସା କରିଥିଲେ । 3 ବର୍ଷ ଧରି ସେ ଅନେକ କଷ୍ଟ ସହିବା ସହ ଡାକ୍ତର ଓ ନର୍ସଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲା । ଗତ ଡିସେମ୍ବର ୨୭ରେ ତାଙ୍କର ଶେଷ କେମୋଥେରାପି ସରିଥିଲା । 3 ବର୍ଷ ଭିତରେ ସେ ଅନେକ କେମୋ ନେଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । 3 ବର୍ଷ ଧରି ସେ ସ୍କୁଲ ଆସିପାରିନଥିଲେ ।
ତେବେ ସୁସ୍ଥ ହେବା ପରେ ଡାକ୍ତରଙ୍କ ଅନୁମତି କ୍ରମେ ସେ ପୁଣି ଖୁସିରେ ସ୍କୁଲ ଯିବା ଆରମ୍ଭ କରିଛନ୍ତି । ଆଉ ଏତେ ବଡ ରୋଗ ସହ ଲଢି ସୁସ୍ଥରେ ଫେରିଥିବା ଓଲିଭରଙ୍କୁ ସହପାଠୀ କରତାଳି ଦେଇ ସ୍ବାଗତ କରିଥିଲେ । ତାଙ୍କୁ ଏକ ବଡ ବିଜେତା ଭାବେ ସମ୍ମାନ ମିଳିଥିଲା । ବିଦ୍ୟାଳୟର ପ୍ରବେଶ ଦ୍ବାରଠାରୁ ସେ ପଢୁଥିବା ଶ୍ରେଶୀଗୃହ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ତାଳି ବଜାଇ ତାଙ୍କୁ ୱେଲକମ କରିଥିଲେ ।
ଏହି ଦୃଶ୍ୟର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧୯ ସେକେଣ୍ଡର ଏହି ଭିଡିଓରେ ଓଲିଭର ସହପାଠୀଙ୍କ ଏଭଳି ସ୍ବାଗତରେ ଖୁସି ହେବା ସହ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିବାର ଦେଖିବାକୁ ମିଳିଛି । କ୍ୟାନସର ଭଳି ରୋଗକୁ ହରାଇ ସେ ଫେରିଥିବାରୁ ଏପରି ବ୍ୟବସ୍ଥା କରାଯାଇଥିଲା ବୋଲି ସ୍କୁଲର ପ୍ରଧାନ ଶିକ୍ଷକ ପୌଟ୍ରିକ ଗାନ୍ନୋନ କହିଥିଲେ ।