ମୁମ୍ବାଇ: ପାରିବାରିକ କଳହ ଯୋଗୁଁ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଚାରୁ ଆସୋପା ଗତ ବର୍ଷ ଠାରୁ ଶିରୋନାମାରେ ଥିଲେ । ଚାରି ବର୍ଷର ବିବାହ ପରେ ଶେଷରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ନିକଟରେ ରାଜୀବ ସୋସିଆଲ ମିଡିଆରେ ଆସି ତାଙ୍କ ଛାଡପତ୍ର ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ଏହି ଦମ୍ପତି ଏକାଠି ସମୟ ଅତିବାହିତ କରୁଥିବା ନଜର ଆସିଛି । ଉଭୟଙ୍କର ରୋମାଣ୍ଟିକ ଫଟୋ ରାଜୀବ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଚାରୁ, ରାଜୀବ ସେନ୍ ଏବଂ ତାଙ୍କ ଝିଅ ଜିଆନାଙ୍କ ପାଇଁ ଆଉଟିଂ କରୁଥିବା ଦେଖିବାକୁ ମିଳିଥିଲା । ଏକାଠି ରାତ୍ରୀ ଭୋଜନ କରି ଭିଡିଓ ସହିତ ସେଲଫି ନେଇଥିଲେ ଏହି କପଲ । ଏହି ସମୟରେ ଚାରୁ ଏବଂ ରାଜୀବ ରୋମାଣ୍ଟିକ ଥିବା ନଜର ଆସିଥିଲେ । ଏହି ସମୟର ଫଟୋକୁ ରାଜୀବ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ''ଗୋଟିଏ ସେଲଫି ତ ନିଆଯିବା ଦରକାର ।'' ଫଟୋରେ ଚାରୁ ୟେଲୋ ସାର୍ଟରେ ନଜର ଆସିଥିବା ବେଳେ ରାଜୀବ ଲାଲ ଟି-ସାର୍ଟରେ ନଜର ଆସିଛନ୍ତି । ଉଭୟ ବେଶ ଖୁସିଥିବା ଦେଖିବାକୁ ମିଳିଛି । ତେବେ ଛାଡପତ୍ର ପରେ ଏହି କପଲଙ୍କ ଏଭଳି ସମୟ ବିତାଇବାକୁ ନେଇ ଏବଂ ଚର୍ଚ୍ଚା ଜୋର ଧରିଛି ।
ତେବେ ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଅନେକ ପ୍ରଶଂସକ କହିଛନ୍ତି ଯେ ତୁମ ପୁନର୍ବାର ବିବାହ କରିନିଅ ଏବଂ ଉଭୟ ଏକାଠି ବହୁତ ଭଲ ଲାଗୁଛ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ତୁମେ ତୁମର ଝଗଡାକୁ ଘରେ ରଖ, ଯାହା ବି ହେଉ । ଆପୋଷ ବୁଝାମଣାରେ ତୁମେ ଏହାର ସମାଧାନ କରିଥାନ୍ତ, କିନ୍ତୁ ଛାଡପତ୍ର ସମାଧାନ ନୁହେଁ '।
ସୂଚନା ଥାଉ କି, ରାଜୀବ-ଚାରୁ 2019 ମସିହାରେ ବିବାହ କରିଥିଲେ ଏବଂ ବିବାହର କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଉଭୟ ପରସ୍ପର ବିରୁଦ୍ଧରେ କଠୋର ଅଭିଯୋଗ କରିଥିଲେ । ଏଥି ସହିତ, ଏମାନଙ୍କ ଝିଅ ହେବା ପରେ ମଧ୍ୟ ଝଗଡା କମି ନଥିଲା । ଏପରିକି ଦମ୍ପତି ଝିଅ ପାଇଁ ନିଜକୁ ଅନେକ ସୁଯୋଗ ଦେଇଥିଲେ କିନ୍ତୁ ସମସ୍ୟାର ସମାଧାନ ହୋଇନଥିଲା । ଶେଷରେ ଗତ ଜୁନ 8ରେ ଉଭୟଙ୍କ ସହମତିରେ ଛାଡପତ୍ର ହୋଇଥିଲା । ରାଜୀବ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଥିଲେ । ଏହି ସୂଚନା ଦେଇ ରାଜୀବ କହିଥିଲେ ଯେ ସେ ଝିଅ ପାଇଁ ସର୍ବଦା ପ୍ରସ୍ତୁତ ରହିବେ ଏବଂ ଏଥିପାଇଁ ସେ ସର୍ବଦା ଚାରୁଙ୍କ ବନ୍ଧୁ ହୋଇ ରହିବେ।