ଗଜପତି: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଚଳିତଥର ଚର୍ତୁମୁଖୀ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଥିବାବେଳେ ଏମାନଙ୍କ ବାଟ ଓଗାଳିବାକୁ ସ୍ବାଧୀନ ପ୍ରାର୍ଥୀ ତୟାର ।
ନିର୍ବାଚନୀ ମଇଦାନରେ କଂଗ୍ରେସ ବର୍ତମାନର ବିଧାୟକ କେ.ସୁରିୟା ରାଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ବିଜେଡି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କୁ ପ୍ରାର୍ଥୀ କରିଛି । ସେପଟେ ବିଜେପି ପାରଳାଖେମୁଣ୍ଡିରେ ବାଜିମାତ୍ କରିବାକୁ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା କେ.ନାରାୟଣ ରାଓଙ୍କୁ ମଇଦାନକୁ ଓହ୍ଲାଇଛି । ଅନ୍ୟପଟେ ଏମାନଙ୍କ ବାଟରେ କଣ୍ଟା ସାଜିଛନ୍ତି କଂଗ୍ରେସ ଟିକେଟ ନପାଇ ସ୍ବାଧୀନ ଭାବେ ଲଢୁଥିବା ତିରୁପତି ପାଣିଗ୍ରାହୀ ।
ତେବେ ବିଧାୟକ ଥିବା ସମୟରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାମ କରିବା ସହ ଲୋକଙ୍କ ସହ ରହିଥିବା ସୁସଂପର୍କକୁ ଆୟୁଧ କରି ଚଳିତ ନିର୍ବାଚନରେ ପୁଣିଥରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ । ଗଜପତି ଜିଲ୍ଲାରେ ରହିଥିବା ବେକାରୀ ସମସ୍ୟା ଦୂର କରିବା ପାଇଁ ଶିଳ୍ପ ପ୍ରତିଷ୍ଠା ଏବଂ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଦେବା ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଛନ୍ତି କଂଗ୍ରେସରୁ ଟିକେଟ ନ ପାଇ ସ୍ବାଧୀନ ଭାବେ ଲଢୁଥିବା ତିରୁପତି ପାଣିଗ୍ରାହୀ ।
ସେପଟେ ବିଜେଡିରୁ ଯାଇ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଥିବା କେ.ନାରାୟଣ ରାଓ ବିଗତ ଦିନରେ କରିଥିବା କାମକୁ ପୁଞ୍ଜି କରି ଜିତିବା ଲକ୍ଷ୍ୟରେ ଅଛନ୍ତି । ଅନ୍ୟପଟେ ବିଭିନ୍ନ ଦଳ ପୁରୁଷଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପାରଳା ରାଜକୁମାରୀ କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରି ଗୋଟିଏ ତୀରରେ 2ଟି ଶିକାର କରିବାର ଉଦ୍ୟମ କରିଛି । କଲ୍ୟାଣୀକୁ ପ୍ରାର୍ଥୀ କରି ଦଳ ମହିଳା କାର୍ଡ ଖେଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ରାଜ ପରିବାର ପ୍ରତି ରହିଥିବା ସମ୍ମାନ ଏବଂ ଭଲ ପାଇବାକୁ ସାଉଁଟିବାକୁ ଉଦ୍ୟମ କରିଛି ।
ତେବେ ଭୋଟର ମାନେ ଏଠାରେ କାହା ମୁଣ୍ଡରେ କଳସ ଢାଳିବେ ତାକୁ ନେଇ ଛକାପଞ୍ଝା ଲାଗି ରହିଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଜୋରଦାର କରୁଥିବା ଦେଖିବାକୁ ମିଳିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ