କଟକ: ମାହାଙ୍ଗା ଗଣ ହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ମାହାଙ୍ଗା ପୋଲିସ। ରିମାଣ୍ଡ ଅବଧି ଶେଷ ହୋଇ ଥିବାବେଳେ ଅଭିଯୁକ୍ତଠାରୁ ଅନେକ ତଥ୍ୟ ସଂଗ୍ରହ କରିଛି ପୋଲିସ। ହତ୍ୟା ଘଟଣାର ତମାମ ପ୍ରସଙ୍ଗ ଉପରେ ପୋଲିସ ଖୋଳତାଡ଼ କରିଥିବା ଜଣାପଡ଼ିଛି।
ଏହି ତିନି ଦିନିଆ ରିମାଣ୍ଡରେ ଶିବ ସାହୁଠାରୁ ଏନେକ ତଥ୍ୟ ଓଗାଳିଛି ପୋଲିସ। ବିଶେଷକରି ହତ୍ୟାକାଣ୍ଡର କାରଣ,କେମିତି ହତ୍ୟା କରିଥିଲା, ସେ ଏକା ନା ଏହା ପଛରେ କାହାର ସମ୍ପୃକ୍ତି ରହିଛି, ହତ୍ୟା କରିଥିବା ଧାରୁଆ ଅସ୍ତ୍ର କେଉଁଠାରୁ ଆଣିଥିଲା, ହତ୍ୟା କରିବା ପୂର୍ବରୁ କିଭଳି ଯୋଜନା କରିଥିଲା ଏଭଳି ତମାମ ପ୍ରଶ୍ନର ସତ ଓଗାଳିଛି ଅଭିଯୁକ୍ତ ଶିବ। ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି।
ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦଙ୍କ କହିବା ମୁତାବକ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ସପରିବାରକୁ ହତ୍ୟା କରିବା ପରେ ଯେଉଁ ଭିଡିଓ ମାଧ୍ୟମରେ ବିବୃତି ରଖିଛି ତାହା କୋର୍ଟରେ ପ୍ରମାଣ ପାଇଁ ଉର୍ଦିଷ୍ଟ ନୁହେଁ। କାରଣ ପରବର୍ତ୍ତୀ ସମୟରେ ସେ ପୁଣି ସତକୁ ଅସ୍ବୀକାର କରିପାରେ। ଯେହେତୁ ହତ୍ୟାକାଣ୍ଡ ରାତ୍ରି ସମୟରେ ଘଟିଥିଲା, ଏହାର ଉପଯୁକ୍ତ ସାକ୍ଷ୍ୟ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୋର୍ଟରେ ବରିଷ୍ଠ ପ୍ରମାଣ ଆବଶ୍ୟକ। ସେଥିପାଇଁ ପୋଲିସ ସଠିକ ଭାବରେ ପ୍ରମାଣ ଯୋଗାଡ଼ କରିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ତେଣୁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ହେଲେ ସାଇଣ୍ଟଫିକ ରିପୋର୍ଟର ଆବଶ୍ୟକତା ରହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ