କଟକ: ବାତ୍ୟା ଜୱାଦକୁ ଦିନ କେଇଟା ଯାଇନି, ରାଜ୍ୟରେ ପୁଣି ମେଘୁଆ ପାଗ । ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହା ଲୋକଙ୍କ ଚିନ୍ତା ବଢାଇଛି । ଆଜି ସିଲଭର ସିଟି କଟକରେ ଝିପଝିପ ବର୍ଷା ଆରମ୍ଭ ହୋଇଯାଇଛି । ଯାହା କଟକବାସୀଙ୍କୁ ହନ୍ତସନ୍ତ କରିଛି ।
ବର୍ଷା କାରଣରୁ ଲୋକଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇଛି । ସିଲଭର ସିଟି ରାସ୍ତା ଘାଟ ଜନଶୂନ୍ୟ ରହିଛି । ଅଦିନିଆ ବର୍ଷା ପୁଣି ଲୋକଙ୍କୁ କଷ୍ଟ ଦେଉଛି । ପୂର୍ବ ଦିଗରୁ ପବନ ବହୁଥିବାରୁ ଏକ ଟ୍ରଫଲାଇନ ରହିଛି । ଏହା ଦ୍ବାରା ରାଜ୍ୟରେ ଦୁଇ ଦିନ ବର୍ଷା ଲାଗି ରହିବ । ତାପମାତ୍ରାରେ ବିଶେଷ ହ୍ରାସ ହେବନାହିଁ ।
ଦୁଇ ଦିନ ପରେ ରାଜ୍ୟରେ ୩-୪ ଡିଗ୍ରୀ ତାପମାତ୍ରା କମିବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ବାସ । ୨୪ ଘଣ୍ଟାରେ ଦାରିଙ୍ଗବାଡିରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ୩ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିିଭି ଭାରତ