କଟକ: କୁତାଖାଇ ସାହିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା ମାମଲା । ଏ ଘଟଣାକୁ ୮ ଦିନ ବିତି ଯାଇଛି । ହେଲେ ଏବେବି ପୋଲିସର ହାତ ଖାଲି । ସେପଟେ ହତ୍ୟାକାଣ୍ଡକୁ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି ବୋଲି କହିଛନ୍ତି କଟକ ଡିସିପି ।
ବି.ଗୁଣବତିଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ତାହା ଏବେବି ରହସ୍ୟ ଘେରରେ ରହିଛି । କେହି ଜଣେ ପରିଚିତ ବ୍ୟକ୍ତି ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ କିଏ ସେହି ବ୍ୟକ୍ତି ? ଏବଂ କାହିଁକି ସେ ଗୁଣବତୀଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କଲା ? ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା କମିଶନରେଟ ପୋଲିସର ହାତ ଆଠ ଦିନ ପରେ ମଧ୍ୟ ଖାଲି ରହିଛି । ଏହାକୁ ନେଇ ମୃତକଙ୍କ ଲୋକଙ୍କ ମଧ୍ୟରେ ଗଭିର ଅସନ୍ତୋଷ ମଧ୍ୟ ଦେଖାଦେଇଛି ।
ସୂଚନା ଅନୁସାରେ, ଗତ 15 ତାରିଖ ଦିନ ଅପରାହ୍ନରେ ଘରେ କେହି ନ ଥିବା ସମୟରେ କେହି ଦୁବୃର୍ତ୍ତ ବି.ଗୁଣବତୀଙ୍କ ଘରେ ପଶି ତାଙ୍କୁ ଗଳାକାଟି ହତ୍ୟା କରିବା ଫେରାର ହୋଇଯାଇଥିଲା । ତେବେ କୌଣସି ଏକ ଧାରୁଆ ଅସ୍ତ୍ରରେ ଗଳାକୁ କଟାଯାଇଥିବା ସ୍ପଷ୍ଟ ହୋଇଥିବା ବେଳେ ଘରୁ ପରିବା କଟା ପନିକି ଗାୟବ ହୋଇଯାଇଛି । ହୁଏତ ହତ୍ୟାକାରୀ ପନିକିରେ ଗୁଣବତୀଙ୍କ ହତ୍ୟା କରିବା ପରେ ହତ୍ୟା ସରଞ୍ଜାମକୁ ନିଜ ସହିତ ନେଇ ଯାଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।
ଏହାସହ ଘରର ସମସ୍ତ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରହିଥିବା ବେଳେ ବି.ଗୁଣବତିଙ୍କ ପୁଅ ବ୍ୟବହାର କରୁଥିବା ଲାପଟପ ଟି ମିଳୁନ ଥିବାରୁ ଏହା ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ସେପଟେ ଏହି ମାମଲାର ତଦନ୍ତ ସମୟ ସାପେକ୍ଷ କିନ୍ତୁ ପୋଲିସ ଦୋଷୀକୁ ଖୋଜି ବାହାର କରିବା ପାଇଁ ପ୍ରତିଶୃତି ବଦ୍ଧ ବୋଲିସ କହିଛନ୍ତି କଟକ ଡିସିପି।
ଇଟିଭି ଭାରତ, କଟକ