କଟକ: ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆକାଶରୁ ହେଉଛି ଅଗ୍ନିବର୍ଷା । ପ୍ରବଳ ତାତିରେ ସାରା ଓଡ଼ିଶା ସିଜୁଛି । ତେଣୁ ଘରୁ ପାଦ କାଢିବା ମାତ୍ରେ ସମସ୍ତଙ୍କୁ ଏବେ ଅଂଶୁଘାତ(heatstroke)ର ଭୟ ଘାରିଛି । କେତେବେଳେ ମଧ୍ୟ ଆପଣ ଅଂଶୁଘାତର ଶିକାର ହୋଇପାରନ୍ତି । ଏଭଳି ସ୍ଥିତିରେ ଆପଣଙ୍କୁ ଅଂଶୁଘାତ ହୋଇଛି ବୋଲି କିପରି ଜାଣିବେ ? ଏହାର ଲକ୍ଷଣ ଓ ନିରାକରଣ କ'ଣ ?
ଅଂଶୁଘାତ ଲକ୍ଷଣ:
ଯେତେବେଳେ ଆପଣ ଖରାରେ ବାହାରକୁ ଯାଉଛନ୍ତି କେଉଁ ମୁହୂର୍ତ୍ତରେ ବି ଅଂଶୁଘାତର ଶିକାର ହୋଇପାରନ୍ତି । ଯେତେବେଳେ ଆପଣଙ୍କ ମୁଣ୍ଡ ବୁଲାଇବ ଆପଣ ଜାଣିବେ ଯେ ଧୀରେ ଧୀରେ ଅଂଶୁଘାତର ଶିକାର ହେଲେ । ସେହିପରି ଆପଣଙ୍କ ଦେହ ହାତ ଝିମ୍ ଝିମ୍ ଲାଗିବ । ଯେତେବେଳେ ଆପଣଙ୍କୁ କ୍ଳାନ୍ତ ଆଉ ଖୁବ୍ ଦୁର୍ବଳ ଲାଗିବ ଆପଣଙ୍କର ଅଂଶୁଘାତ ହେଲା ବୋଲି ନିଶ୍ଚିତ ହେବେ ।
ଅଂଶୁଘାତରୁ କିପରି ବର୍ତ୍ତିବେ:
ଅଂଶୁଘାତରୁ ବର୍ତ୍ତିବାକୁ ହେଲେ ଆପଣ ତୁରନ୍ତ ପ୍ରଥମେ ଏକ ଛାଇ ସ୍ଥାନକୁ ଯିବେ । ସେଠାରେ ପିନ୍ଧିଥିବା ପୋଷାକକୁ ଢିଲା କରିବେ ଏବଂ ପାଣି ପିଇବେ । ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲ ସହ ଯୋଗାଯୋଗ କରିବେ । ଏହାକୁ ହାଲୁକା ଭାବରେ ନେଲେ ଆପଣଙ୍କ ଜୀବନ ଚାଲିଯାଇପାରେ । ସେହିପରି ଘରୁ ବାହାରିବା ପୂର୍ବରୁ ଆପଣ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ ଏବଂ ସାଥିରେ ପାଣି ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ । ମୁଣ୍ଡରେ ଟୋପି ପିନ୍ଧନ୍ତୁ କିମ୍ବା ଛତା ବ୍ୟବହାର କରନ୍ତୁ । ଯଦି ସେତିକି ଜରୁରୀ ନଥାଏ ତେବେ ଘରୁ ନ ବାହାରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ