ଭୁବନେଶ୍ବର: ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଗିରଫ ପୂର୍ବତନ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ୫ଟି ଘରେ ଏକାସାଙ୍ଗେ ରେଡ୍ କରୁଛି ୫ଟି ଭିଜିଲାନ୍ସ ଟିମ୍ । ପ୍ରସନ୍ନଙ୍କ କଳ୍ପନାସ୍ଥିତ ସରକାରୀ ବାସଭବନରେ ଚଢାଉ ହୋଇଛି । ଏଥିସହ ସାଉଥସିଟି ବାର ସମେତ ୫ ଜାଗାରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ । ୨ ଡିଏସପି ଓ ୫ ଜଣ ଇନ୍ସପେକ୍ଟର ଚଢାଉରେ ସାମିଲ ଅଛନ୍ତି । ମନୀଷ ଅନୁରାଗ ହତ୍ୟା ମାମଲାରେ ଗିରଫ ହୋଇଥିଲେ କନେଷ୍ଟବଳ ପ୍ରସନ୍ନ ବେହେରା । ଗିରଫ ପରେ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ଭୁବନେଶ୍ବର ଡିସିପି ।
ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ସରକାରୀ କ୍ବାର୍ଟର, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସ୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡାରେ ଥିବା ପୈତୃକ ଦୁଇ ମହଲା ବାସଭବନରେ ରେଡ୍ ଚାଲିଛି । ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯିବ ସହ ଅମାପ ସମ୍ପତ୍ତି ମଧ୍ୟ ଠାବ ହୋଇଛି । ମାତ୍ର ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତା'ର ସ୍ପଷ୍ଟ ସୂଚନା ମିଳିନାହିଁ ।
ମନୀଷ ହତ୍ୟା ମାମଲାର ତଦନ୍ତ ବେଳେ କନେଷ୍ଟବଳ ପ୍ରସନ୍ନଙ୍କ କାରନାମା ପଦାକୁ ଆସିଥିଲା । ସାଉଥସିଟି ବାରକୁ ବେଆଇନ ଭାବେ ଚଳାଇଥିଲେ ନିଲମ୍ବିତ ପ୍ରସନ୍ନ । ବାରର ଲାଇସେନ୍ସ ନ ଥିବାବେଳେ କୋଭିଡ ନିୟମର ମଧ୍ୟ ଉଲ୍ଲଙ୍ଘନ ହୋଇଥିଲା । ସାଉଥସିଟି ଚଲାଇବା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯିବା ସହ ଗିରଫ କରାଯାଇଥିଲା ।
ପ୍ରସନ୍ନ ପୋଲିସ ବିଭାଗରେ କନଷ୍ଟେବଳ ଥିବାବେଳେ ଓଡି଼ଶା ହାବିଲଦାର, ସିପାହୀ କନଷ୍ଟେବଳ ମହାସଂଘର ସମ୍ପାଦକ ମଧ୍ୟ ଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ