ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ୨୦୨୧-୨୨ରେ ପୁରୁଣା ଯାନବାହନକୁ ରାସ୍ତାରୁ ହଟାଇବା ପାଇଁ ‘ସ୍କ୍ରାପ ପଲିସି’ର ଘୋଷଣା କରିଛନ୍ତି । ପ୍ରଦୂଷଣ ବିହୀନ ବାୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପଲିସି ଅନୁସାରେ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ ବର୍ଷ ପୁରୁଣା କମର୍ସିଆଲ ଗାଡିକୁ ଅଟୋମୋଟିକ୍ ଫିଟନେସ୍ ସେଣ୍ଟରରେ ଯାଞ୍ଚ କରିବାକୁ ହେବ । ତେବେ ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି ରାସ୍ତାରୁ ପୁରୁଣା ଗାଡି ହଟିବ । କେନ୍ଦ୍ର ସରକାର ଏକ ନୂଆ ଚିନ୍ତାଧାରା ସହ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା 20 ପ୍ରତିଶତ ପ୍ରଦୂଷଣ କମିବ । ନୂଆ ଗାଡି ଆସିଲେ ଏହା ଜରିଆରେ ନୂଆ ନିଯୁକ୍ତି ବଢିବ । ଆମ ପାଖକୁ ଏନେଇ ସବିଶେଷ ତଥ୍ୟ ଆସିନି । ଆସିଲେ ଆମେ ତାକୁ କାର୍ଯ୍ୟକାରୀ କରିବୁ ବୋଲି ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ମଧ୍ୟ ସଡକ ପରିବହନ ବିଭାଗ ଓ ରାଜମାର୍ଗ ମନ୍ତ୍ରଣାଳୟ ୧୫ ବର୍ଷ ପୁରୁଣା ସରକାରୀ ବାହନକୁ ସ୍କ୍ରାପ୍ କରିବାର ନୀତିକୁ ମଞ୍ଜୁରୀ ଦେଇଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ