ଭୁବନେଶ୍ବର/କେନ୍ଦ୍ରାପଡା: ଓଡ଼ିଶାକୁ ବୈଜୟନ୍ତ ପଣ୍ଡା ପାକିସ୍ତାନ ସହ ତୁଳନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛି ରାଜ୍ୟ ବିଜେପି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।
ପୃଥ୍ବୀରାଜ କହିଛନ୍ତି, ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ବୈଜୟନ୍ତ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ସେ କିଛି ଅତିରଞ୍ଜିତ କଥା କହିନାହାନ୍ତି । ଏହାକୁ ସକରାତ୍ମକ ଦୃଷ୍ଟିରେ ସରକାର ଦେଖିବା ଦରକାର । ଆଇନ ଶୃଙ୍ଖଳା ସ୍ଥିତି ଉପରେ ସରକାର ଧ୍ୟାନ ଦେବା ଦରକାର । ନିଜ ଅହଂକାର ଛାଡ଼ି ଏ ଦିଗରେ ସରକାର ଗୃରୁତ୍ବ ଦିଅନ୍ତୁ ବୋଲି ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶନିବାର ସୋସିଆଲ ମିଡିଆ ଟ୍ବିଟରରେ ଓଡିଶା ଶାସନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିଥିଲେ । ଏନେଇ ପରେ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଛି।
ରବିବାର ସନ୍ଧ୍ୟାରେ କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ବିଜେଡି ସଂଖ୍ୟାଲଘୁ ଓ ଦଳିତ ମୋର୍ଚ୍ଚାର କର୍ମକର୍ତ୍ତା ସଙ୍ଗଠିତ ହୋଇ ବୈଜୟନ୍ତଙ୍କ ବିରୋଧରେ ନାରବାଜି କରିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ବୈଜୟନ୍ତ ନିଜ କର୍ମ ପାଇଁ ଅନୁତାପ ନକଲେ ଓ ପୋଷ୍ଟ ଡିଲିଟ ନକଲେ ତାଙ୍କୁ କେନ୍ଦ୍ରାପଡ଼ା ଜନସାଧାରଣ କଡା ଜବାବ ଦେବେ ବୋଲି କହିଛନ୍ତି କର୍ମକର୍ତ୍ତା।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ