ଭୁବନେଶ୍ବର: ଇଂରାଜୀ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ କିଏ କେତେ ଟଙ୍କା ଖର୍ଚ୍ଚ କରି ବହୁତ ଧୁମଧାମରେ ଆନନ୍ଦ ଅନୁଭବ କରୁଥିବାବେଳେ ବସ୍ତିର ପିଲାମାନେ ନିଆରା ଢଙ୍ଗରେ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳିଛି।
ଅଦରକାରୀ ଜିନିଷପତ୍ରକୁ ବିଭିନ୍ନ ପ୍ରକାର ସୁସଜ୍ଜିତ କରିବା ସହ ତାହା ମାଧ୍ୟମରେ ନୂତନ ବର୍ଷ ପାଇଁ ନୂଆ ବାର୍ତ୍ତା ଦେଇଛନ୍ତି ଏହି କୁନି କୁନି ପିଲାମାନେ । ଭଙ୍ଗା ମାଠିଆ, ଭଙ୍ଗା ଇଟାମାଟି କାଦୁଅ, ପୁରୁଣା କାଗଜ ଆଦିକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ, ଗ୍ରୀଟିଂସ, କାଗଜରେ ଫୁଲ ଆଦି କରି ଥିବା ଦେଖିବାକୁ ମିଳିଛି ।
ଏହା ସହିତ ସେମାନେ ଆଜିର ଦିନରେ ଶିକ୍ଷାର ମହତ୍ବ ବହୁତ ଅଧିକ ଥିବାବେଳେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବାର୍ତ୍ତା ଦେଇଛନ୍ତି । ଏହା ଛଡା ଅନେକ ପିଲା ଷ୍ଟେସନ, ବଜାର ଓ ରାସ୍ତାକଡ଼ରେ ଭିକ୍ଷା ମାଗିବା ସହ ନିଶା ଦ୍ରବ୍ୟ ସେବନ କରି ସେମାନଙ୍କ ଶୈଶବକୁ ନଷ୍ଟ କରୁଛନ୍ତି। ତେଣୁ ସେମାନଙ୍କୁ ସେମାନଙ୍କ ଶୈଶବର ସରସ ସୁନ୍ଦର କରିବା ପାଇଁ ସୁଯୋଗ ଦେବାକୁ ମଧ୍ୟ କହିଛନ୍ତି । ଏହି ଅବସରରେ ପିଲାମାନେ ସୁନ୍ଦର ସୁନ୍ଦର ଗୀତ ଗାଇବା ସହ ନାଚି ଗାଇ ନୂଆ ବର୍ଷକୁ ସ୍ବାଗତ କରିଥିଲେ ଏବଂ ଏହା ସେମାନଙ୍କ ପାଇଁ ଉଜ୍ଜ୍ବଳମୟ ହେଉ ବୋଲ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ