ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ରବିବାର ଦୃଶ୍ୟମାନ ହୋଇଛି । ଏହା ଏକ ପ୍ରକାର ବିରଳ ପରାଗ ବୋଲି ଜ୍ୟୋତିର୍ବିଦମାନେ ମତ ଦେଇଥିଲେ । ପରାଗ ସକାଳ 10ଟା 38ରୁ 2ଟା 9 ପର୍ଯ୍ୟନ୍ତ ରାଜ୍ୟରେ ଦୃଶ୍ୟମାନ ହେବାର ବୈଜ୍ଞାନିକମାନେ ଗଣନା କରିଥିଲେ, କିନ୍ତୁ ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମେଘୁଆ ପାଗ ଯୋଗୁଁ ଏହା ଭଲ ଭାବେ ଦୃଶ୍ୟମାନ ହୋଇ ନଥିବା ଜଣାପଡ଼ିଛି ।
ବିରଳ ସୂର୍ଯ୍ୟପରାଗ ନେଇ ଆଗରୁ ସୂଚନା ଥିବାରୁ ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଧ୍ୟ ଏହାକୁ ପିଲାମାନଙ୍କୁ ଦେଖାଇବା ପାଇଁ ଅନେକ ପ୍ରକାର ବ୍ୟବସ୍ଥା ହୋଇଥିଲା । ହେଲେ ଏହି ସମୟରେ ସଟଡାଉନ ପାଳନ ହେତୁ ତାହା ବନ୍ଦ କରାଯାଇଥିଲା । ସେପଟେ କିନ୍ତୁ ଏହାକୁ ଓଡ଼ିଶାର ସାଧାରଣ ଜନତା ନିଜ ଘରେ କିପରି ସହଜରେ ଦେଖି ପାରିବେ ଏଥିପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଖରାପ ପାଗ ବାଧକ ସାଜିଥିବା କହିଛନ୍ତି କେନ୍ଦ୍ରର ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଶତପଥୀ ।
ଆଗାମୀ ଡିସେମ୍ବର ମାସରେ ଆସୁଥିବା ପରାଗକୁ ଲୋକମାନେ କିପରି ଭଲଭାବେ ଦେଖି ପାରିବେ ଏଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ହିମାଂଶୁ କହିଛନ୍ତି । ଏହି ଅବସରରେ ପରାଗ ଯୋଗୁଁ ବାୟୁମଣ୍ଡଳକୁ କୋରୋନା ଭୂତାଣୁ ଆସିଥିବା ଓ ଏହି ପରାଗରେ ତାହାର ବିନାଶ ଘଟିବ ବୋଲି ହେଉଥିବା ଚର୍ଚ୍ଚାର ସେପରି କିଛି ବୈଜ୍ଞାନିକ ଯୁକ୍ତି ନଥିବା ଶତପଥୀ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ