ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚଳିତ ମାସ 21 ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି । 22 ତାରିଖରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥି ସହ ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦାନ କରିବେ । ଭୁବନେଶ୍ବର ରାଜଭବନରେ ସେ ଅବସ୍ଥାନ କରିବେ । ସେପଟେ ରାଷ୍ଟ୍ରପତିଙ୍କ କୋଣାର୍କ ଏବଂ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ରାଷ୍ଟ୍ରପତି ଦାୟିତ୍ବ ନେବାପରେ ରାଷ୍ଟ୍ରପତି କୋବିନ୍ଦ ପ୍ରଥମ ଥର ପାଇଁ କୋଣାର୍କ ପରିଦର୍ଶନରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମ ସହ ପୁରୀ କାର୍ଯ୍ୟକ୍ରମ ଯୋଡାଯିବା ସମ୍ଭାବନା ରହିଛି । ତେବେ ରାଉରକେଲା ଏନଆଇଟି ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବେ ।
ରାଷ୍ଟ୍ରପତି କୋବିନ୍ଦଙ୍କ ସହ କେତେକ କେନ୍ଦ୍ରମନ୍ତ୍ରୀ ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପ ଦେବା ଲାଗି ରାଷ୍ଟ୍ରପତି ଭବନ, କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜଭବନ କାର୍ଯ୍ୟାଳୟ, ରାଜ୍ୟ ପ୍ରଶାସନିକ ଅଧିକାରୀ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି । ବିଶେଷ କରି କୋରୋନା କଟକଣା ଓ ସୁରକ୍ଷା ବ୍ୟବସ୍ଥା କଡାକଡି ଉପରେ ନଜର ଦିଆଯାଉଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ