ଭୁବନେଶ୍ବର: ରାଜଧାନୀରେ ଫେଲ ମାରିଲା 'ମୋ ସରକାର' । ପୁଣି ପଦାରେ ପଡିଲା କ୍ୟାପିଟାଲ ହସ୍ପିଟାଲର ଦାୟିତ୍ବହୀନତା । ହସ୍ପିଟାଲରେ ବେଡ ନଥିବାରୁ ଡାକ୍ତରଖାନା ପରିସରରେ ପ୍ରସବ କଲେ ଗର୍ଭବତୀ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ଯାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ ନିମାପଡା ଅଞ୍ଚଳର ରୀନା ଭୋଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ଲେବର ରୁମ ଡାକ୍ତର ରୀନାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେଠାରୁ ଚାଲିଯାଇଥିଲେ । ହେଲେ ରାତିତମାମ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ରୀନାଙ୍କୁ ମିଳିନଥିଲା ବେଡ । ଆଉ ପ୍ରସୂତି ବେଦନା ସହି ନପାରି ବାହାରକୁ ଆସିଯାଇଥିଲେ ଗର୍ଭବତୀ ଜଣକ ।
ତେବେ ଶନିବାର ସକାଳୁ ଡାକ୍ତରଖାନା ପରିସରରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ତାଙ୍କ ସାଥିରେ ଥିଲେ ସ୍ବାମୀ ଓ ଅନ୍ୟଜଣେ ସମ୍ପର୍କୀୟ । ସେପଟେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବାର ଅଭିଯୋଗ ଆଣିଛନ୍ତି ପରିବାରଲୋକେ ।
ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ଜଣେ ଗର୍ଭବତୀ ମହିଳା ପ୍ରସୂତୀ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଉଚିତ ସେବା ନ ପାଇ ରାସ୍ତାରେ ପ୍ରସବ କରିଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ