ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଫାର୍ମାସିଷ୍ଟଙ୍କର ଘୋର ଅଭାବ। ଯେଉଁ କାରଣରୁ ଅନେକ ସମୟରେ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଘଣ୍ଟା ଘଣ୍ଟା ଧରି ଧାଡିରେ ରହୁଛନ୍ତି ରୋଗୀ। ନିରାମୟ କେନ୍ଦ୍ରରୁ ଆରମ୍ଭ କରି ଅସ୍ତ୍ରୋପଚାର ଗୃହରେ ମଧ୍ୟ ଦେଖାଦେଇଛି ଅବ୍ୟବସ୍ଥା।
ମୁଖ୍ୟ ନିରାମୟ କେନ୍ଦ୍ର ଓ ସ୍ତ୍ରୀ ପ୍ରସୂତି ବିଭାଗ 24 ଘଣ୍ଟା ଖୋଲା ରହୁଥିବା ବେଳେ ବିଭିନ୍ନ ପର୍ଯ୍ୟାୟର 6ଟି କାଉଣ୍ଟରରେ ରୋଗୀଙ୍କୁ ଔଷଧ ବିତରଣ କରାଯାଉଛି। ହେଲେ ସେହି ଅନୁପାତରେ ନାହାନ୍ତି ଫାର୍ମାସିଷ୍ଟ। ଗୋଟିଏ ଔଷଧ କେନ୍ଦ୍ରରେ 6ଟି କାଉଣ୍ଟରରେ ସମସ୍ତ କର୍ମଚାରୀଙ୍କୁ ମିଶାଇ 26 ଜଣ ଆବଶ୍ୟକତା ରହୁଥିବା ବେଳେ 12 ଜଣ କାମ କରୁଛନ୍ତି। ଫାର୍ମାସିଷ୍ଟ ନଥିବା ଯୋଗୁଁ ଅଧିକ କାଉଣ୍ଟର ଖୋଲା ଯାଇପାରୁ ନାହିଁ।
ସେହିପରି ଭାବରେ ମୋଟ ଔଷଧ ବିତରଣ କେନ୍ଦ୍ର ପାଇଁ 70 ଜଣ ଫାର୍ମାସିଷ୍ଟ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର 12 ଜଣ । ସେହି ପରି ସର୍ଜରୀ, ଓଟି ପାଇଁ 4 ଜଣ ଫାର୍ମାସିଷ୍ଟ ଆବଶ୍ୟକତା ରହିଥିବା ବେଳେ ଅଛନ୍ତି 2 ଜଣ। ଅସ୍ଥିଶଲ୍ୟରେ କୌଣସି ଫାର୍ମାସିଷ୍ଟ ନାହାଁନ୍ତି। କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ରୂପେ 92 ଜଣ ଫାର୍ମାସିଷ୍ଟ ଆବଶ୍ୟକ ରହୁଥିବା ବେଳେ 18 ଜଣ ଫାର୍ମାସିଷ୍ଟ କାର୍ଯ୍ୟ କରୁଛନ୍ତି। ବାକି 74 ଜଣ ଫାର୍ମାସିଷ୍ଟ ପଦ କେବେ ପୂରଣ ହେବ ସେନେଇ ପ୍ରଶ୍ନ ଉଠୁଛି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରାତି ପାହିଲେ ଅନେକ ଭିଆଇପି, ଭିଭିଆଇପି ଚିକିତ୍ସା ପାଇଁ ଆସିଥାନ୍ତି କ୍ୟାପିଟାଲ ହସ୍ପିଟାଲ। କୌଣସି ଜାତୀୟ ସ୍ତରର ଭିଆଇପି ଆସିଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢି଼ଯାଏ। ଭିଭିଆଇପିଙ୍କ ପାଇଁ 6 ଜଣ ଫାର୍ମାସିଷ୍ଟ ଆବଶ୍ୟକ ରହିଥିବା ବେଳେ ଜଣେ ମଧ୍ୟ ନାହାଁନ୍ତି। ସଚିବାଳୟରୁ 500 ମିଟର ଦୂରରେ ରହୁଥିବା କ୍ୟାପିଟାଲ ହସ୍ପିଟାଲର ବାସ୍ତବ ଚିତ୍ର ଏଥିରୁ ବାରି ହୋଇ ପଡୁଛି। ଇ-ହସ୍ପିଟାଲ ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ଯାହା ନିହାତି ଅବଶ୍ୟକ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାଁନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ