ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିବା ନେଇ କମ୍ପିଟିସନ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଲକଡାଉନ ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିବା ନେଇ କମ୍ପିଟିସନ କରୁଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସରେ ୧୧ତାରିଖରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ଶୁଣାଯାଉଥିଲା, ହେଲେ ରାଜ୍ୟ ସରକାର ହଠାତ ଲକ ଡାଉନ ଅବଧି ବଢାଇଛନ୍ତି । ଏପରି ମଧ୍ୟ ପୂର୍ବଥରର ଘୋଷଣାରେ ଦେଖିବାକୁ ମିଳିଥିଲା । ’
ନିରଞ୍ଜନ ପୁଣି କହିଛନ୍ତି, ଯେ ଗତ କିଛିଦିନ ଯେଉଁ ଲକଡାଉନ ହେଲା ସେଥିରୁ ରାଜ୍ୟ ସରକାର କିଛି ଶିକ୍ଷା ପାଇଥିବେ ବୋଲି ମୁଁ ଅନୁଭବ କରୁଛି । ଏବେ ଆହୁରି ୧୫ଦିନ ବୃଦ୍ଧି ହୋଇଛି ଲୋକମାନେ ଆହୁରି ଅସୁବିଧା ଭୋଗିବେ ।’ ସରକାର ସେଥିପ୍ରତି ସତର୍କତା ଅବଲମ୍ବନ କରିବେ ବୋଲି ସେ ଆଶା କରିଛନ୍ତି ।
ଅନ୍ୟପକ୍ଷରେ ଆଗକୁ ଆସୁଥିବା ଖରିଫ ଋତୁ ପାଇଁ ଚାଷୀ ମାନଙ୍କୁ ସରକାର ସମସ୍ତ ସାହାଯ୍ୟ ସହଯୋଗ ନ କରନ୍ତି ତେବେ ଅର୍ଥନୀତି ଆହୁରି ଭୁଷୁଡି ପଡିବ ବୋଲି କହିଛନ୍ତି । ଚାଷୀ ମାନଙ୍କ ସମସ୍ତ ଋଣ ଛାଡ କରିବା ପାଇଁ ସେ କହିଛନ୍ତି, ସରକାର ଗରିବ ଖଟିଖିଆ ଚାଷୀ ମାନଙ୍କୁ ସହଯୋଗ ନ କଲେ ଅବସ୍ଥା ସାଙ୍ଘାତିକ ହେବ ବୋଲି ସେ କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ମାସ୍କ ବାଧ୍ୟତାମୂଳକ ପଦକ୍ଷେପକୁ ସ୍ଵାଗତ କରିଛନ୍ତି, ହେଲେ ୫୦୦ଟଙ୍କା ଫାଇନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ