ଭୁବନେଶ୍ବର: BMC କୁ ଘାରିଲା ରାଜସ୍ୱ ଚିନ୍ତା । ବକେୟା ରହିଛି ୧୮କୋଟି ହୋଲ୍ଡିଂ ଟ୍ୟାକ୍ସ । ବିଶେଷ ଭାବେ କୋରୋନା ସମୟରେ BMCର ରାଜସ୍ୱହାନୀ ଅଧିକ ହୋଇଛି । ତେଣୁ ରାଜସ୍ୱ ଆଦାୟ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଆଉ ପୂର୍ବପରି ରାଜସ୍ୱ ଆଦାୟ କରିବାକୁ କିନ୍ନରଙ୍କୁ ମିଳିଲା ଅନୁମତି ।
ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥାତ ୩୧ ଡିସେମ୍ବର ପୂର୍ବରୁ ବକେୟା ଟିକସ ଆଦାୟ କରିବାକୁ ପୁଣି କିନ୍ନରଙ୍କ ସହଯୋଗ ଲୋଡିଛନ୍ତି BMC । କିନ୍ନରଙ୍କ ଦୁଇଟି ଗୋଷ୍ଠୀ ଆଦାୟ କରିବେ ୧୮କୋଟି ଟଙ୍କା ରାଜସ୍ୱ । ଆଜି(ବୁଧବାର)ଠାରୁ ଆଦାୟ ଆରମ୍ଭ କରିଥିବାବେଳେ କିନ୍ନରଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ବାଣୀବିହାରର ଟ୍ରିନିଟି ନ୍ୟୁରୋ ହସ୍ପିଟାଲ (Trinity Neuro Hospital, Bhubaneswar) ଠାରୁ ଟ୍ୟାକ୍ସ ଆଦାୟ ଆରମ୍ଭ ହୋଇଥିବାବେଳେ ଆଜି ୮ ଲକ୍ଷ ବକେୟା ଆଦାୟ କରିଛନ୍ତି କିନ୍ନର । ଟ୍ୟାକ୍ସକୁ ନେଇ ବିବାଦର ସମାଧାନ ପରେ ଏବେ ବକେୟା ରାଜସ୍ୱ ସଂଗ୍ରହକୁ ନେଇ ଚିନ୍ତା ବଢିଛି ।
ରାଜସ୍ୱ ହ୍ରାସ ହେଲେ ବିକାଶରେ ବାଧା ସୃଷ୍ଟି ହେବ । ଏନେଇ ବକେୟା ରାଜସ୍ୱ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି BMC । ପୂର୍ବଭଳି ପୁଣି ସ୍ୱୀକୃତି ଓ ପରିଚୟ ଭଳି ଦୁଇଟି କିନ୍ନର SHG ଙ୍କ ସହିତ BMC ଚୁକ୍ତି କରିଛି । ପ୍ରତ୍ୟେକ SHG ଆଦାୟ କରିବେ ୯ କୋଟି ଲେଖାଏଁ ବକେୟା ରାଜସ୍ୱ । ଏଥିପାଇଁ ବଡ ବଡ ଟିକସ ଖିଲାପିଙ୍କ ତାଲିକା ପ୍ରସ୍ତୁତ କରିଛି BMC । କିନ୍ନରଙ୍କୁ ପୂର୍ବରୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାରେ ସାମିଲ କରି ସ୍ୱାବଲମ୍ୱୀ କରିବାକୁ ଉଦ୍ୟମ କରାଯାଇଛି ।
ଅନ୍ୟପଟେ କୋଭିଡ ପୂର୍ବରୁ ପ୍ରାୟ ସାଢେ ୩ କୋଟି ଟଙ୍କାର ବକେୟା ରାଜସ୍ୱ ସଂଗ୍ରହ କରି ସଫଳତା ହାସଲ କରିଛି କିନ୍ନର ସଂଗଠନ । କେବଳ ଟିକସ ଆଦାୟ କ୍ଷେତ୍ରରେ ନୁହେଁ ବରଂ ପାର୍କିଂ ଆଦାୟ ଭଳି ଅନେକ କାର୍ଯ୍ୟ କିନ୍ନରଙ୍କୁ ସରକାର ଯୋଗାଇଛନ୍ତି । ଫଳରେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରେ ବେଶ୍ ସହାୟକ ହେବ । ଅନ୍ଯପଟେ କିନ୍ନରଙ୍କୁ ବକେୟା ରାଜସ୍ୱ ସଂଗ୍ରହ କ୍ଷେତ୍ରରେ BMC ର ୩ଟି ଯୋନର ସମସ୍ତ ଓ୍ୱାର୍ଡ ଅଫିସର ସହଯୋଗ କରୁଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ