ଭୁବନେଶ୍ବର: ସାରା ବିଶ୍ବରେ ଥିବା ଓଡିଆଙ୍କ ପାଇଁ ଖୁସି ଖବର । ଗୁଗଲ ପରେ ଏବେ ମାଇକ୍ରୋସଫ୍ଟରେ ମଧ୍ୟ ଓଡିଆରେ ଅନୁବାଦ ହୋଇପାରିବ । ବାଣିଜ୍ୟ ଓ ବିକାଶ ପାଇଁ ଏବେ ମାଇକ୍ରୋସଫ୍ଟ ଅଫିସ ଅନୁବାଦରେ ଓଡିଆ ଭାଷାକୁ ଯୋଡାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତ ତଥା ବିଶ୍ବରେ ସାଢେ 3 କୋଟି ଲୋକ ଓଡିଆ ଭାଷାରେ କଥା ହୁଅନ୍ତି। ତେବେ ବଙ୍ଗଳା, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ଆଗରୁ ମାଇକ୍ରୋସଫ୍ଟରେ ଉପଲବ୍ଧ ରହିଥିବା ବେଳେ ଏବେ ଓଡିଆ ଦ୍ବାଦଷ ଭାଷା ରୂପେ ଅନୁବାଦ ପାଇଁ ଯୋଡାଯାଇଛି ।
ଓଡିଆ ପୂର୍ବ ଭାରତର ରାଜ୍ୟ ଓଡିଶାର ଭାଷା । ଏହା ରାଜ୍ୟର ସରକାରୀ ଭାଷା ହୋଇଥିବା ବେଳେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ କଥିତ ଭାଷା ରୂପରେ ପରିଚିତ ।
ଭାରତ ସରକାରଙ୍କ ଦ୍ବାରା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିବା ଥିବା 6ଟି ଭାଷା ମଧ୍ୟରୁ ଓଡିଆ ଅନ୍ୟତମ । ଦୀର୍ଘ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ସାହିତ୍ୟର ଇତିହାସରେ ଗୌରବ ବହନ କରିଆସୁଛି ।