ଭୁବନେଶ୍ବର: ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । ଉପରେ ତେଲ ଟ୍ୟାଙ୍କର । ଭିତରେ ଗଞ୍ଜେଇ ଚାଲାଣ । ପୋଲିସ ଓ NCB ସ୍କାନରରୁ ବର୍ତ୍ତିବା ପାଇଁ ଏମିତି ବାଟ ଆପଣାଇ ଥିଲେ ଗଞ୍ଜେଇ ବ୍ୟବସାୟୀ । ହେଲେ ଶେଷରେ ଏନସିବି ଆଖିରୁ ବର୍ତ୍ତିପାରିନଥିଲେ ଗଞ୍ଜେଇ ଚାଲଣକାରୀ । ଆଉ ବିହାର ଚାଲାଣ ବେଳେ ଭୁବନେଶ୍ଵରରୁ ଧରାପଡିଲା ୨୫ଲକ୍ଷର ଗଞ୍ଜେଇ ।
ବିହାରକୁ ଗଞ୍ଜେଇ ଚାଲଣ ହେଉଥିବା ବେଳେ ଭୁବନେଶ୍ବର ରସୁଲଗଡ ଛକରେ ଏକ WB 29B 2501 ତେଲ ଟ୍ୟାଙ୍କରକୁ ଅଟକାଇ ଛାନଭିନ କରିଥିଲା ଭୁବନେଶ୍ଵର ଏନସିବି ଜୋନାଲ ଟିମ । ଏହା ପରେ ଅଏଲ ଟ୍ୟାଙ୍କରୁ ୨୫୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନେ ବିହାରର ଭୋଜପୁରର ସୁନିଲ ରାୟ ଓ ଅଗ୍ନିଦେଓ ବିନ ବୋଲି ଜଣାପଡିଛି ।
ତେବେ ବିହାରକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଥିରେ କୋରାପୁଟ ଲିଙ୍କ ଥିବା ଏନସିବି ଜାଣିବାକୁ ପାଇଛି । ଏହି ତେଲ ଟ୍ୟାଙ୍କର ଯାଞ୍ଚ ପରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ କିଭଳି ନୂଆ ତରିକା ଆପଣାଇଥିଲେ ଗଞ୍ଜେଇ ବ୍ୟବସାୟୀ ତାହା ସାମ୍ନାକୁ ଆସିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ