ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ପଡ଼ିଲା ରକ୍ତ ଛିଟା । ଜାତ ଭୋଗ ନେଇ ଯାଉଥିବାବେଳେ ପଡ଼ି ଯାଇ ଜଣେ ସେବାୟତ ଆହତ ହେବାରୁ ରକ୍ତ ପଡିଥିଲା । ଗୋଡ଼ ଖସି ସେବାୟତ ଲକ୍ଷ୍ମଣ ମହାପାତ୍ରଙ୍କ ମୁଣ୍ଡ ଫାଟି ଯାଇଛି ।
ଆହତ ଲକ୍ଷ୍ମଣ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଜାତ ଭୋଗ ଛେକ ଆସିବା ପରେ ଦିଅଁ ଭିତରକୁ ବିଜେ ସମୟରେ ଧୁକୁଡି ଦ୍ବାର ଓ ବଲ୍ଲଭ ପିଣ୍ଡି ମଧ୍ୟସ୍ତ ସ୍ଥାନରେ ସେବାୟତ ଜଣକ ପଡିଯାଇ ମୁଣ୍ଡ ଫାଟି ରକ୍ତ ଛିଟା ପଡିବା ଯୋଗୁଁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନ ସିଂହାସନ ଆଗରେ ଯଦି କୌଣସି ଭକ୍ତ ଅବା ସେବାୟତ ପଡି ଆହତ ହେବା ବେଳେ ରକ୍ତ ପଡିଥାଏ ଅବା କେହି ବାନ୍ତି, ପରିସ୍ରା କରିଥିବାର ଦେଖାଯାଏ । ମହାପ୍ରଭୁଙ୍କ ସମସ୍ତ ନୀତି ସ୍ଥଗିତ ରଖାଯାଇ ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ସବୁ ଦୈନିକ ନୀତିକାନ୍ତି ଆଗେଇ ଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ