ଭୁବନେଶ୍ବର: ରାଜଧାନୀରେ ଆତଙ୍କ ରାଜ । ଦୁର୍ଦାନ୍ତ ଅପରାଧିଙ୍କ ଘେରରେ ସ୍ମାର୍ଟସିଟି । ରାତିର ଅନ୍ଧକାର କଥା ତ ଛାଡନ୍ତୁ ଏଠି ଦିନ ଦି ପହରରେ ଘଟିଯାଉଛି ହତ୍ୟାକାଣ୍ଡ । ଚୁପ ବସିଛନ୍ତି ସୁରକ୍ଷା ଦାତା । ପଚାରିଲେ ମିଳୁନି ଉତ୍ତର ।
ଅପରାଧ ଓ ଅପରାଧୀଙ୍କୁ କାବୁ ପାଇଁ ରାଜଧାନୀରେ ରହିଛି ଓଡିଶା ପୋଲିସର ସ୍ବତନ୍ତ୍ର ୱିଙ୍ଗ । କମିଶନରେଟ ପୋଲିସର ଏଠି ରହିଛନ୍ତି ବଛା ବଛା ଦକ୍ଷ ଅଧିକାରୀ । ମାତ୍ର ଗତ କିଛି ଦିନ ହେବ ରାଜଧାନୀର ଛାତି ଉପରେ ଜାରି ରହିଛି ସିରିଜ କ୍ରାଇମ । ବେଧଡକ୍ ଚାଲିଛି ହତ୍ୟା, ଲୁଟ, ଦୁଷ୍କର୍ମ ଓ ଧଳା ଜହର କାରବାର । ଆଉ ମୁକାବିଲା ପାଇଁ କମିଶନରେଟ ପୋଲିସର ସମସ୍ତ ମାଷ୍ଟର ପ୍ଲାନ ସତେ ଯେମିତି ନିସ୍ତେଜ । ତେବେ ନଜର ପକାନ୍ତୁ ବିଗତ 15 ଦିନରେ ମଧ୍ୟରେ ରାଜଧାନୀରେ ଘଟିଥିବା କିଛି ଚାଞ୍ଚଲ୍ୟକର ଅପରାଧର ତାଲିକା ଉପରେ, ଯେଉଁ ଘଟଣାରେ ଅପରାଧୀଙ୍କ ଟେର ପାଉନି ପୋଲିସ ।
- ଅଗଷ୍ଟ ୩୦, ନାବାଳିକାଙ୍କୁ ଗଣଦୁଷ୍କର୍ମ । ଘଟଣା ନେଇ ମହିଳା ଥାନାରେ ହୋଇଥିଲା ଅଭିଯୋଗ । ହେଲେ ଘଟଣାକୁ 13 ଦିନ ବିତିଲା ପରେ ମଧ୍ୟ ଏବେ ଯାଏଁ ମିଳିନି କୌଣସି ସୁରାକ।
- ସେପ୍ଟେମ୍ବର ୭, ଇନଫୋସିଟି ଥାନା ଶ୍ରୀ ବିହାର ଅଞ୍ଚଳର ଏକ ବ୍ଯାଙ୍କରୁ ଗନ ପଏଣ୍ଟରେ ଲୁଟ ହେଲା ୨ ଲକ୍ଷ ୮୦ ହଜାର ଟଙ୍କା । ଯେଉଁଠି ଅଭିଯୁକ୍ତଙ୍କ ଏବେ ଯାଏଁ ମିଳୁନି ପତ୍ତା ।
- ସେପ୍ଟେମ୍ବର ୭, ବରଗଡ ଥାନା ଗୌତମ ନଗରରେ ବିଚ ରାସ୍ତାରେ ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୁତ। ହେଲେ ଜଣେ କେହି ବି ଏଥିରେ ହୋଇନାହାନ୍ତି ଗିରଫ ।
- ସେହିପରି ସେପ୍ଟେମ୍ବର ୭, ବାଲିଅନ୍ତା ଥାନା ନଖରାରେ ଜଣେ ମହିଳାଙ୍କ ଠୁ ଲୁଟ ହେଲା 5 ଲକ୍ଷ ଟଙ୍କା । ଦିନ ଦିପ୍ରହରେ ରାଜରାସ୍ତରୁ ଲୁଟ କଲେ ଦୁବୃର୍ତ୍ତ । ହେଲେ ଘଟଣାରେ କାହାକୁ ବି ଗିରଫ କରାଯାଇ ନାହିଁ ।
- ସେପ୍ଟେମ୍ବର ୮, ଖଣ୍ଡଗିରି ଥାନା ଭରତପୁରରେ ଜଣେ ନବମ ଶ୍ରେଣୀ ନାବାଳକଙ୍କୁ ନିର୍ମମ ହତ୍ଯା । ଘଟଣାର ୪ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ଏବେବି ଅନେକ ଅଭିଯୁକ୍ତ ଫେରାର ।
ତେବେ ଏ ତ କିଛି ପ୍ରମୁଖ ଥାନା ଅଞ୍ଚଳର ଘଟଣା । ବସ୍ତି କଥା ପଚାରେ କିଏ... । କୋରୋନା ବିପତି ସମୟରେ ଏଭଳି ଭୟାନକ ଅପରାଧ । କିଏ ଦେବ ଏହାର ଜବାବ । କେବେ ଆକ୍ଟିଭ ହେବେ ସୁରକ୍ଷା କର୍ମୀ । କେମିତି ରୋକିବେ ଏସବୁ ଅପରାଧ । ଯାହାକୁ ନେଇ ଏବେ ରାଜଧାନୀବାସୀଙ୍କ ମନରେ ଉଙ୍କି ଅସମାହିତ ପ୍ରଶ୍ନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ