ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ବେସରକାରୀ ଅନୁଷ୍ଠାନ ସହଯୋଗରେ ବାତ୍ୟାକୁ ଦୃଷ୍ଟିରେ ରଖି ଷ୍ଟେସନ ଅଞ୍ଚଳରେ ଆଶ୍ରୟ ନେଉଥିବା ଯାତ୍ରୀ, ବାସହୀନ ଏବଂ ଦରିଦ୍ର ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ଏବଂ ପାଣି ବୋତଲ ବ୍ୟବସ୍ଥା କରାଯାଇଛି ।


ଭୁବନେଶ୍ୱର, ଭଦ୍ରକ ଏବଂ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ଓ ଷ୍ଟେସନ ଉପରେ ନିର୍ଭରଶୀଳ ଗରିବ ଲୋକମାନଙ୍କୁ ଆଜି(ବୁଧବାର) ସକାଳେ ଶୁଖିଲା ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା କରାଯାଇଥିବାବେଳେ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ପ୍ୟାକେଟ ପୂର୍ବତଟ ରେଳପଥ ପକ୍ଷରୁ ବଣ୍ଟନ କରାଯାଇଥିଲା ।
ଚାଉଳ, ଡାଲି, ସାଲାଡ, ମିକ୍ସ ତରକାରୀକୁ ନେଇ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ 20 ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସ୍ଥାନୀୟ ଯୁବ ଗୋଷ୍ଠୀ "ବ୍ୟାସ ସେନା", ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଏଥିସହିତ ଅପେକ୍ଷା କରିଥିବା ଯାତ୍ରୀ ଏବଂ ବଞ୍ଚିତ ଜନସାଧାରଣଙ୍କୁ ପରିବେଷଣ କରାଯାଇଥିଲା ।
ସେହିପରି ମାରୱାଡି ଯୁବ ମଞ୍ଚ ସହିତ ସମନ୍ୱୟ ରକ୍ଷା କରି ଭୁବନେଶ୍ୱର ରେଳ ଷ୍ଟେସନ ପକ୍ଷରୁ ଅଟକି ରହିଥିବା ଯାତ୍ରୀ ଓ ବଞ୍ଚିତ ଜନସାଧାରଣଙ୍କୁ ଚାଉଳ, ଡାଲମା, ଡାଲି, ତରକାରୀ, ଆଚାର ଏବଂ ପାଣି ବୋତଲକୁ ନେଇ ରନ୍ଧା ଭୋଜନ ବ୍ୟବସ୍ଥା କରାଯାଇଥିଲା ।
ଷ୍ଟେସନ ଅଞ୍ଚଳରେ ଫସି ରହିଥିବା ଯାତ୍ରୀଙ୍କୁ ଭୟଭୀତ ନ ହେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଛି । ଟ୍ରେନ୍ ସେବା ପୁନଃ ପ୍ରଚଳନ ପରେ ଶୀଘ୍ର ସମସ୍ତେ ନିଜ ନିଜ ରାଜ୍ୟ ତଥା ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାକୁ ସକ୍ଷମ ହେବା ପାଇଁ ପ୍ରୟାସ କରାଯାଉଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ