ଭୁବନେଶ୍ବର: କଂଗ୍ରେସକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ଆରମ୍ଭ ହୋଇଛି ଭାରତଯୋଡ଼ ଅଭିଯାନ (Congress party getting weak day by day ) । ରାହୁଲ ଗାନ୍ଧୀଙ୍କ ଆହ୍ବାନରେ ଏହି ଅଭିଯାନ ଆରମ୍ଭ ହୋଇଛି । ଅନେକ ରାଜ୍ୟରେ କଂଗ୍ରେସ ନେତାଏ ଦଳର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହାକୁ ନେଇ ସୋମବାର ଜାତୀୟ କଂଗ୍ରେସ ମୁଖପାତ୍ର ଅଂଶୁଲ ଅଭିଜିତ ଓଡ଼ିଶା ଗସ୍ତ କରିଛନ୍ତି ।
୧୦ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର କଂଗ୍ରେସ କର୍ମୀ ଭାରତଯୋଡ଼ ଆନ୍ଦୋଳନରେ ସାମିଲ ହେବେ । ଏଥିପାଇଁ ଏକ ପଦଯାତ୍ରାର ଆୟୋଜନ କରାଯିବ । ୧୫୦ ଦିନ ଧରି ଏହି ପଦଯାତ୍ରା କରାଯିବ । ଏହି ଅଭିଯାନ କେତେ ସଫଳ ହେବ ତାହାରି ଉପରେ ଏବେ ପ୍ରଶ୍ନବାଚୀ ରହିଛି ।
ଓଡ଼ିଶା ଗସ୍ତ ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଜାତୀୟ କଂଗ୍ରେସ ମୁଖପାତ୍ର ଅଂଶୁଲ ଅଭିଜିତ । ସେ କହିଛନ୍ତି, "ଭାରତଯୋଡ଼ ଆନ୍ଦୋଳନ ଏକ ଭାବନା, ଏକ ନାରା ଏହା ଏକ ବିଶ୍ବାସ । ଏହା ଏକ ବ୍ୟାପକ ଜନସମ୍ପର୍କ କାର୍ଯ୍ୟକ୍ରମ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଉଛି । ୩୫୭୦ କିମି ଯାତ୍ରାରେ ଦଳ ସହ ଅନେକ ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ ଦଳ ।"
ଏମିତି ବି ଏକ ଦିନ ଥିଲା ଯେତେବେଳେ ଭାରତରେ ରାଜନୀତି କହିଲେ କଂଗ୍ରେସ । ଆଉ କଂଗ୍ରେସ କହିଲେ ରାଜନୀତିକୁ ବୁଝାଉଥିଲା । କିନ୍ତୁ ଦେଶ ଆଜି ସ୍ବାଧୀନତାର 75 ବର୍ଷ ପୂର୍ତ୍ତି କରିଥିବା ବେଳେ ବଦଳିଛି ରାଜନୈତିକ ଦୃଶ୍ୟପଟ୍ଟ । ଆଜି ବିକାଶ ଶିଡିରେ ଗୋଟିଏ ପରେ ଗୋଟିଏ ପାହାଚ ମାଡିଚାଲିଛି ଏହି ଦେଶ । ଅର୍ଥନୀତି କୁହନ୍ତୁ ବା ସାମାଜିକ ବ୍ୟବସ୍ଥା । ସବୁଥିରେ ଆସିଛି ସମ୍ୟକ ପରିବର୍ତ୍ତନ । ଏହି ପରିବର୍ତ୍ତନ ରାଜନୀତିରେ ବି ଦେଖା ଦେଇଛି । ଜାତୀୟ ସ୍ତରରେ କଂଗ୍ରେସର ଏତେଟା ପ୍ରଭାବ ରହିଥିବା ଆଉ ମନେ ହେଉନାହିଁ । ଦଳୀୟ ଜନସମ୍ପର୍କକୁ ସୁଦୃଢ କରିବା ପାଇଁ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ଭାରତଯୋଡ଼ ଆନ୍ଦୋଳନ । ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେବେ 10 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର କର୍ମୀ । ଏହି ପଦଯାତ୍ରା 150 ଦିନ କିମ୍ବା ଅଧିକ ଦିନ ଧରି ଚାଲିପାରେ । ଏବେ ପ୍ରଶ୍ନ ଉଠୁଛି କଂଗ୍ରେସର ଏହି ଅଭିଯାନ ସଫଳ ହେବ ତ ?
ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ବ ଦୁର୍ବଳ ହେବାରେ ଲାଗିଛି । ଦଳରେ ପୁରୁଣା ନେତାଙ୍କୁ ଏତେଟା ଗୁରୁତ୍ବ ଦିଆଯାଉନାହିଁ । ଯାହାର ଫଳ ସ୍ବରୂପ ଅନେକ ପୁରୁଣା ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଗୁଲାମ ନବୀ ଆଜାଦ । ଗତ ମାସରେ ସେ କଂଗ୍ରେସ ସହ ଥିବା ୫ ଦଶନ୍ଧୀର ସମ୍ପର୍କ ଛିନ୍ନ କରିଛନ୍ତି । ଏହାପୂର୍ବରୁ କପିଲ ଶିବଲ ଭଳି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇଥିଲେ । ଗୁଲାମ ନବୀ ଦଳ ଛାଡ଼ିବାର ପଛରେ ପ୍ରମୁଖ କାରଣ ରାହୁଲ ଗାନ୍ଧୀଙ୍କୁ ଦର୍ଶାଇ ଥିଲେ । ତାଙ୍କ ପିଲାଳିଆମୀ ଦଳ ପାଇଁ ମହଙ୍ଗା ପଡ଼ିଥିବା କଥା ସେ ନିଜ ଇସ୍ତଫା ପତ୍ରରେ ଲେଖିଥିଲେ ।
ଜାତୀୟ ସ୍ତରରେ କଂଗ୍ରେସର ସ୍ଥିତି ଯାହା ରହିଛି ସେଥିପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି । ତାହା ନହେଲେ ଦଳ ଭାଙ୍ଗି ଚୁରମାର୍ ହୋଇଯିବା ନେଇ ସନ୍ଦେହଜାତ ହେବାରେ ଲାଗିଛି । ଜଣଙ୍କ ପରେ ଜଣେ ବରିଷ୍ଠ କଂଗ୍ରେସ ହାତ ଛାଡ଼ୁଛନ୍ତି । ଏହାରି ମଧ୍ୟରେ ଭାରତଯୋଡ଼ ବଦଳରେ ଦଳ ଉପରେ ବିଶେଷ ଧ୍ୟାନ ଦେବାର ଆଶ୍ୟକତା ରହିଥିବା ନେଇ ରାଜନୀତି ସମୀକ୍ଷକମାନେ ମତ ରଖିଲେଣି ।
୧୮୮୫ରେ କଂଗ୍ରେସ ଦଳ ପ୍ରତିଷ୍ଠିତ ହୋଇଥିଲା । ୧୯୫୨ରେ ଦେଶରେ ପ୍ରଥମ ନିର୍ବାଚନ ପରଠୁ ୧୯୭୭ ପର୍ଯ୍ୟନ୍ତ ଲଗାତାର ସରକାର ଗଢ଼ି ଆସିଥିଲା । ଭାରତ ରାଜନୀତିରେ କଂଗ୍ରେସ ଲମ୍ବା ଇନିଂସ ଖେଳିବାର ନଜିର ରହିଛି । ହେଲେ ଆଜି ଦଳରେ ସେହି ଦମ୍ଭ ଦେଖିବାକୁ ମିଳୁନାହିଁ ।
ଓଡ଼ିଶାରେ ଜାତୀୟ କଂଗ୍ରେସର ପ୍ରଭାବ ପଡ଼ିଛି । ଏଠାରେ ମଧ୍ୟ ଦଳ ଗୋଟିଏ ଗୋଟିଏ ଆସନ ପାଇଁ ଶଘଂର୍ସ କରୁଛି । ପୁରୁଣା ନେତାଏ ହୁଙ୍କାର ଭରୁଛନ୍ତି ସତ ହେଲେ ତାହାର କୌଣସି ସୁଫଳ ମିଳୁନାହିଁ । ୨୦୨୪ରେ ଦଳ ପାଇଁ ଗୁତୁତ୍ବପୂର୍ଣ୍ଣ ରହିବ । ଏହାକୁ ନେଇ ଖୋଦ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ନେତା ଜୟଦେବ ଜେନା ।
ଜୟଦେବ ଜେନା କହିଥିଲେ, "୨୦୨୪ ନିର୍ବାଚନ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଦଳରେ ଏହି ନିର୍ବାଚନରେ ଭଲ ପ୍ରଦର୍ଶନ ନକଲେ କେହି ବି ଦଳକୁ ସାହାଯ୍ୟ କରି ପାରିବେ ନାହିଁ ।"
ରାହୁଲ ଗାନ୍ଧୀ କଂଗ୍ରେସ ଦଳର ମଙ୍ଗ ଧରିବା ପରେ ଦଳକୁ କୌଣସି ଫାଇଦା ହୋଇନଥିଲା । ଏଥିପାଇଁ ସେ ୨୦୧୯ରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି । ଆଗକୁ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ରହିଛି । ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେ ନା ଅଣଗାନ୍ଧୀ ନେତା ଅଧ୍ୟକ୍ଷ ହେବେ ତାହାକୁ ନାନା ଆଲୋଚନା ଚାଲିଛି । ଏହାରି ମଧ୍ୟରେ ୨୦୨୪ରେ ଦଳର ରଣନୀତି କଣ ହେବ ଓ କିଏ ରଣନୀତି ଗଢ଼ିବ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା ।