ଭୁବନେଶ୍ବର/ ନୂଆପଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିସି ଜରିଆରେ ନୂଆପଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୧.୭୩ ଲକ୍ଷ ଲୋକ ଏହି ସୁବିଧା ପାଇବେ । ନୂଆପଡା ସହିତ ରାଜ୍ୟର ୧୦ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡାରେ ପ୍ରାୟ ୪୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ନୂଆପଡାର ବିକାଶ ଉପରେ ଆଲୋକପାତ କରିଛନ୍ତି ।ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଛନ୍ତି । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।
ଖୁବଶୀଘ୍ର ଦୂର ହେବ ପିଇବା ପାଣି ସମସ୍ୟା: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଲ ପିଇବା ପାଣି ହେଉଛି ନୂଆପଡାର ଗୋଟିଏ ବଡ ସମସ୍ୟା । ଏହି ସମସ୍ୟା ଦୂର କରିବା ପାଇଁ ଜିଲ୍ଲାର ସବୁ ବ୍ଲକ୍, ସବୁ ଗାଁ ଓ ସବୁ ପଡାକୁ ପାଇପ ପାଣି ଯୋଗାଇବା ପାଇଁ କାମ ଜାରି ରହିଛି । ନୂଆପଡା ଓ କୋମନା ପାଇଁ ଦୁଇଟି ମେଗା ପାଇପ ପାଣି ଯୋଜନା ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଏହାଦ୍ବାରା ଜିଲ୍ଲାର ୮୦ ପ୍ରତିଶତ ଲୋକ ଭଲ ପିଇବା ପାଣି ପାଇପାରିବେ ।
ନବୀନଙ୍କ ଘୋଷଣା; ଖରିଆରର ଇଭାନ୍ଜେଲିକାଲ ହସ୍ପିଟାଲ ହେବ BSKYରେ ସାମିଲ
ଖରିଆରର ଇଭାନ୍ଜେଲିକାଲ ହସ୍ପିଟାଲକୁ BSKY ଯୋଜନାରେ ସାମିଲ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଏହାଦ୍ବାରା ଜିଲ୍ଲାର ଲୋକମାନେ ଏହି ହସ୍ପିଟାଲରେ ସ୍ମାର୍ଟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇପାରିବେ । ଏ ନେଇ ଖରିଆର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଲୋକଙ୍କ ସମସ୍ୟା ଓ ବିଧାୟକଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୋହନ ଶବର ସମସ୍ତଙ୍କ ଲାଗି ଉଦାହରଣ: ମୁଖ୍ୟମନ୍ତ୍ରୀ
ନୂଆପଡା ବ୍ଲକ୍ର ସାଲିନା ଗାଁର ମୋହନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କର ଦେଢ ଏକର ଜମି ଆଜି ସାଢେ ଚାରି ଏକରରେ ପହଞ୍ଚିଲାଣି । ପରିବା ଚାଷରେ ତାଙ୍କର ରୋଜଗାର ମଧ୍ୟ ଭଲ ହେଉଛି । ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା । ତେଣୁ ମୋର ଅନୁରୋଧ, ଆପଣମାନେ ସରକାରଙ୍କ ବିଭିନ୍ନ ୟୋଜନାର ସୁଯୋଗ ନିଅନ୍ତୁ ଓ ନିଜର ଉନ୍ନତି କରନ୍ତୁ ।
ନୂଆପଡା ନୂଆ ପରିଚୟ: ନବୀନ
ନୂଆପଡାର ଚାଷୀ ମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆପଡା ନୂଆ ପରିଚୟ ନେଇ ଆଗକୁ ବଢୁଛି । ନୂଆପଡାର ଚାଷୀମାନେ ଆଜି ବିଭିନ୍ନ ପ୍ରକାର ଫସଲ କରିବା ସହିତ ଫସଲର ବିବିଧକରଣ, ଜୈବସାର ଓ କୀଟନାଶକ ଉପରେ ଗୁରୁତ୍ବ ଦେଉଛନ୍ତି । ଚାଷୀ ମାନଙ୍କର ରୋଜଗାର ବଢିବା ସହିତ ଲାଭ ମଧ୍ୟ ହେଉଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ