ଭୁବନେଶ୍ବର: ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପାଇଁ ଖ୍ରୀଷ୍ଟମାସ ଏକ ବଡ ପର୍ବ । ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟମାସକୁ ବେଶ୍ ଧୁମଧାମର ସହ ପାଳନ କରାଯାଇଥାଏ । ଏହାସହ ପ୍ରତ୍ୟେକଙ୍କ ଘରେ କେକ୍ ର ଆସର ଜମେ । ଖାସ୍ କରି ଏହି ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଅପେକ୍ଷା କରିଥାନ୍ତି । ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସକୁ ପାଳନ କରିବାକୁ ଏହି ଦିନଟିକୁ ସମସ୍ତଙ୍କର ଅପେକ୍ଷା ଥାଏ । ଏନେଇ ରାଜଧାନୀ ଚଳଚଞ୍ଚଳ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋକାନ ବଜାର ଖୋଲା ଯାଇଛି । ସାମଗ୍ରୀ କିଣିବା ପାଇଁ ରାସ୍ତାକଡରେ ଭିଡ ଦେଖିବାକୁ ମିଳିଛି । ଏକ ନମ୍ବର ହାଟ, ନୟାପଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସାମଗ୍ରୀ କିଣିବା ପାଇଁ ଲୋକେ ଭିଡ ଲଗାଇଛନ୍ତି ।
କ୍ରିସମାସ ଟ୍ରୀ, ଷ୍ଟାର, ସାନ୍ତାକ୍ଲଜ୍, ହ୍ୟାଙ୍ଗିଗ୍ ବେଲ୍, ସାନ୍ତା ଟାଏ, ଟୋପି, ପୋଷାକ ଦୋକନରେ ସଜ୍ଜିତ କରି ରଖାଯାଇଛି । ଏସବୁ ମଧ୍ୟରେ ବଜାରରେ ଆକର୍ଷଣର କେନ୍ଦ୍ର ପାଲଟିଛି ମ୍ୟୁଜିକାଲ୍ ଡ୍ୟାନ୍ସିଂ ସାଣ୍ଟା , ଯାହାକୁ କିଣିବା ପାଇଁ ଛୁଆମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସାଣ୍ଟା ଟୋପି ଓ ମାକ୍ସ କିଣିବାକୁ ଗହଳି ଲାଗିଛି ରାଜଧାନୀରେ ଦୋକାନମାନଙ୍କରେ । 50 ଟଙ୍କାରୁ 25 ହଜାର ଟଙ୍କାର ସାମଗ୍ରୀ ଉପଲବ୍ଧ । ପାଖାପାଖି 100 ପ୍ରକାର ସାମଗ୍ରୀ ବିକ୍ରୟ କରାଯାଉଛି ।
ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି ଚର୍ଚ୍ଚ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ କୋରୋନା କାରଣରୁ ସମସ୍ତ ସାମଗ୍ରୀର ଦାମ ଅନ୍ୟ ବର୍ଷ ତୁଳନାରେ ଅଧିକା ରହିଛି, ତେଣୁ ପକେଟକୁ ସୁହାଇଲା ଭଳି ଆଡମ୍ବରର ସହ ବଡଦିନକୁ ପାଳନ କରିବେ ଲୋକେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ