ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ବୁଲବୁଲ' ପ୍ରଭାବରେ ରାଜ୍ୟରେ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 9 ତାରିଖରେ ଘଣ୍ଟାପ୍ରତି 70ରୁ 80 କିମି ବେଗରେ ପବନ ବହିବା ନେଇ ଏସଆରସି ପକ୍ଷରୁ ସୂଚନା ମିଳିଛି ।
ବାତ୍ୟା 'ବୁଲବୁଲ'କୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରେ ୯ଟି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ରଖିବାକୁ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ଲୋକସେବା ଭବନରେ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏଥିସହିତ 6ଟି ଜିଲ୍ଲାକୁ 2ଟି ଲେଖାଏଁ ଓଡ୍ରାଫ୍ ଟିମ୍ ପଠାଯାଇଛି । ସେହିଭଳି ୯ଟି ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ