ନୂଆଦିଲ୍ଲୀ: 'ପ୍ରତ୍ୟେକ ଦେଶବାସୀଙ୍କୁ ମାଗୁଛି ଆଉ ଏକ ସମର୍ଥନ । ଜନତା କର୍ଫ୍ୟୁ...ଅର୍ଥାତ ଜନତାଙ୍କ ପାଇଁ...ଜନତାଙ୍କ ଦ୍ବାରା ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ...'
ଆଜିର ଦିନରେ ଏହା ଥିଲା 135 କୋଟି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ । 2020 ଆରମ୍ଭରୁ କାୟା ବିସ୍ତାର କରିବାରେ ଲାଗିଥିଲା ମହାମାରୀ କୋରୋନା । ଭାରତ ସମେତ ସାରା ବିଶ୍ବ ଯେତେବେଳେ କୋରୋନା ବିରୋଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିଥିଲା, ସେତେବେଳେ ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ନିବେଦନ ପ୍ରଭାବରେ ଦୀର୍ଘ 24 ଘଣ୍ଟା କାଳ ସାରା ଦେଶ ହୋଇଯାଇଥିଲା ଶୂନଶାନ । ସହରରୁ ଗାଁ, ଦୋକାନରୁ ଅଫିସ ସବୁଠି ଝୁଲିଥିଲା ତାଲା । ଆଉ ଆଜି ଏହି ଜନତା କର୍ଫ୍ୟୁକୁ ପୁରିଛି 1 ବର୍ଷ ।
କୋରୋନା ଭୟରେ 24 ଘଣ୍ଟିଆ ତାଲା ବନ୍ଦ, ବାଜିଥିଲା ଥାଳି-ତାଳି ଗତ ବର୍ଷ 30 ଜାନୁଆରୀରେ ଭାରତରେ ସାମ୍ନାକୁ ଆସିଥିଲା ମହାମାରୀ କୋରୋନା ଭାଇରସର ପ୍ରଥମ ମାମଲା । ସେତେବେଳେ କାହାରିକୁ ବି ଜଣାନଥିଲା କେବେ ଏହି ସଙ୍କଟରେ ପଡିବ ପୂର୍ଣ୍ଣଛେଦ । ଦେଖୁ ଦେଖୁ ଭୟଙ୍କର ରୂପ ନେବାକୁ ଲାଗିଲା ଭାଇରସ । ଆଉ ସରକାରଙ୍କୁ ନେବାକୁ ପଡିଲା କଠୋର ପଦକ୍ଷେପ । ଏହି କ୍ରମରେ ସର୍ବପ୍ରଥମେ 22 ମାର୍ଚ୍ଚ 2020ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜନତା କର୍ଫ୍ୟକୁ ମିଳିଥିଲା ସାଧାରଣ ଲୋକଙ୍କ ବିପୁଳ ସମର୍ଥନ । ସେହିପରି ଜନତା କର୍ଫ୍ୟୁକୁ ସଫଳ କରିବା ଉଦ୍ଦେଶ୍ୟରେ ଦେଶବାସୀ ସନ୍ଧ୍ୟାରେ ନିଜ ଘରେ ରହି ଘଣ୍ଟ, ଘଣ୍ଟା କିମ୍ବା ପାରମ୍ପରିକ ବାଦ୍ୟଯନ୍ତ୍ର, ତାଳିମାରି ମହାମାରୀ ଆଗାଧାଡିର ଯୋଦ୍ଧାଙ୍କୁ ଉତ୍ସାହ କରିବାକୁ ଅନୁରୋଧ କରିଥିଲେ ମୋଦି ।ଠିକ ଏକ ବର୍ଷ ପୂର୍ବେ ଜନତା କର୍ଫ୍ୟୁ ଲାଗିବା ସମୟରେ ଭାଇରସର ମୋଟ ମାମଲା ଥିଲା 330 । ସେତେବେଳେ ଏହାକୁ ନେଇ ମନରେ ଥିଲା ଅସମ୍ଭାବିତ ଭୟ । ଆଉ 1 ବର୍ଷ ପରେ କୋରୋନା ଭାଇରସର ମାମଲା ଏବେ ଏକ କୋଟିରୁ ଊର୍ଦ୍ଧ୍ବରେ ପହଞ୍ଚିଛି । ପୁନର୍ବାର ଦୃତ ଗତିରେ କୋରୋନା କେସ୍ ବଢିବା ସହ ପୁଣି ଦିନକରେ 40 ହଜାର ପାଖାପାଖି ମାମଲା ମନର ଭୟକୁ ବଢାଉଛି । ଆଉ ଏଥିପାଇଁ ଦେଶର ଅନେକ ରାଜ୍ୟରେ ପୁଣି ଲକଡାଉନ ସ୍ଥିତି ଫେରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ