ବ୍ରହ୍ମପୁର: ପୁତୁରାର ଆକ୍ରମଣରେ ଚାଲିଗଲା ବଡ ମାଆର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ । ସୂଚନା ଅନୁଯାୟୀ ସୁନ୍ଦରପୁର ଗ୍ରାମର ଦୁର୍ଗାଚରଣ ମଣ୍ଡଳଙ୍କ ମାଆ ପଦ୍ମାବତୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ନିଜ ଘରେ ଶୋଇ ରହିଥିଲେ । ଏହି ସମୟରେ ପୁତୁରା ରଚିଲା ବଡମାଆର ହତ୍ୟାକାଣ୍ଡ ।
ଗୁରବାର ସମୟ ମଧ୍ୟାହ୍ନ 12ଟା, ଏହି ସମୟରେ ଗ୍ରାମର ଦାସରଥି ମଣ୍ଡଳଙ୍କ ପୁଅ ସିତାରାମ ହଠାତ ଘର ଭିତରକୁ ପ୍ରବେଶ କରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଡିରହିଥିବା ପଦ୍ମାବତୀଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ସେହି ସମୟରେ ଅନ୍ୟ ଏକ ଘରେ ରହିଥିବା ପୁଅ ଦୁର୍ଗା ଦୌଡି ଆସି ଦେଖିବା ବେଳେ ସିତାରାମ ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ପଦ୍ମାବତୀଙ୍କ ମୃତ୍ୟୁ ହୋଇଥିଲା ।
ଏନେଇ ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଥିଲା । କିନ୍ତୁ ଅଭିଯୁକ୍ତ ଜଣଙ୍କ ହତ୍ୟା କରିବା ପରେ ସେଠାରୁ ଚମ୍ପଟ ମାରିଥିଲା । ଘରର ବିଭିନ୍ନ ସ୍ଥାନରେ ରକ୍ତ ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ କେଉଁ କାରଣକୁ କେନ୍ଦ୍ର କରି ପୁତୁରା ସିତାରାମ ନିଜ ବଡ ମାର ହତ୍ୟାକଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ