ବ୍ରହ୍ମପୁର: ବସରୁ ଓହ୍ଲାଉଥିବା ବେଳେ ପଛ ଚକ ତଳେ ପଡି ଜଣେ ଅଙ୍ଗନୱାଡି ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା । ଏହା ସହିତ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାର କେ ନୁଆଗାଁ ଥାନା ଅନ୍ତର୍ଗତ ଗୌଡଗାଁ ପଞ୍ଚାୟତ ଦାଉଣୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ମୃତ ଛାତ୍ର ହେଲେ ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପାଞ୍ଚ ବର୍ଷର ପୁତ୍ର ସିଲୁ । ସିଲୁଙ୍କ ଦେହ ଅସୁସ୍ଥ ଥିବାରୁ ତାକୁ ବାପା ଓ ମାଆଙ୍କ ସହ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ । ପରେ ଏକ ଘରୋଇ ଯାତ୍ରୀବାହୀ ବସରେ ତୁରୁବୁଡି ଫେରୁଥିବା ସମୟରେ ପଛ ଚକ ତଳେ ପଡିଯିବାରୁ ତାଙ୍କ ଉପରେ ଗାଡି ମାଡିଯାଇଥିଲା ।
ଘଟଣାସ୍ଥଳରେ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ ଗାଡିଟି ଦୃତଗତିରେ ପଳାଇଥିଲା । ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହକୁ ରାଜରାସ୍ତାରେ ରଖି ନିଆଁ ଲଗାଇ ଅବରୋଧ କରିଛନ୍ତି । କେ. ନୂଆଗାଁ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ