ବ୍ରହ୍ମପୁର: 73ତମ ସ୍ବାଧୀନତା ଦିବସ ପାଇଁ ସହରରେ ଆରମ୍ଭ ହୋଇଛି ଜୋରସୋର ପ୍ରସ୍ତୁତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ୟାରେଡ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି ବିଦ୍ୟାର୍ଥୀ । ସହରର ଷ୍ଟାଡିୟମ ପରିସରରେ ଚଳିତ ଥର ସ୍ବାଧୀନତା ଦିବସ ପାଳନର ନିଷ୍ପତ୍ତି ନିଆଯାଇଥିବା ବେଳେ ଏନେଇ ଆରମ୍ଭ ହୋଇଛି ସ୍କୁଲ ଓ କଲେଜ ବିଦ୍ୟାର୍ଥୀଙ୍କ ମିଳିତ ପ୍ୟାରେଡ ।
ପ୍ରଶାସନ ପକ୍ଷରୁ ସହରର ଷ୍ଟାଡିୟମ ପରିସରରେ ଏହି ପ୍ୟାରେଡର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଚଳିତବର୍ଷ ପ୍ୟାରେଡରେ ପୋଲିସ ବ୍ୟାଣ୍ଡ ସହ ଗୃହରକ୍ଷୀ ବିଭାଗ ସମେତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କୁଲ ଓ କଲେଜର ସ୍କାଉଟ, ଗାଇଡ୍ର ବିଦ୍ୟାର୍ଥୀଙ୍କୁ ମିଶାଇ ମୋଟ 43ଟି ଦଳ ଏହି ପ୍ୟାରେଡ୍ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଚଳିତଥର ସହରର ବହୁ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଗତ ଦୁଇ ଦିନ ଧରି ଷ୍ଟାଡିୟମ୍ ପରିସରରେ ପ୍ୟାରେଡ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛନ୍ତି । ଏଥିସହ ଶେଷ ଦିନର ଅଭ୍ୟାସ ପରେ ସେମାନେ ସ୍ବାଧୀନତା ଦିବସରେ ଭଲ ପ୍ୟାରେଡ କରିବାକୁ ଆଶା ରଖିଛନ୍ତି । ସେହିପରି ପ୍ୟାରେଡ ଡ୍ରିଲ ପ୍ରଦର୍ଶନ ପାଇଁ ରହିଥିବା ବିଭିନ୍ନ କଣ୍ଟିଜେଣ୍ଟମାନେ ସେମାନଙ୍କ ଟ୍ରୁପ୍ ସହିତ ଅଭ୍ୟାସ ଜାରି ରଖିଥିବା ଦେଖାଯାଇଛି ।
ତେବେ ସୁରୁଖୁରୁରେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାର ତଦାରଖ କରିବା ପାଇଁ ବିଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ