ବ୍ରହ୍ମପୁର: ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ସକାଳ ୫ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲିବ ସମସ୍ତ ଦୋକାନ ବଜାର । ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କୋରୋନା ସ୍ଥିତିରେ ସୁଧାର ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଧୀରେ ଧୀରେ କୋହଳ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଗତ ପାଞ୍ଚ ମାସରୁ ଊର୍ଦ୍ଧ ସମୟ ଧରି ଜିଲ୍ଲାରେ କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗଞ୍ଜାମରେ କ୍ରମାଗତ ଭାବରେ ଲକଡାଉନ, ସଟଡାଉନ ଚାଲିଥିଲା । ଯଦ୍ବାରା ବ୍ୟବସାୟୀଙ୍କ କାରବାର ଏକପ୍ରକାର ଠପ୍ ହୋଇଯାଇ ଚିନ୍ତାଜନକ ରହିଥିଲା । ଜିଲ୍ଲାବ୍ୟାପୀ ଅନେକ ସ୍ଥାନରେ କୋଭିଡର ବିଭିନ୍ନ କଟକଣା ଲଗାଯାଇ ଅତି ଅଳ୍ପ ସମୟ ପାଇଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଉଥିବାବେଳେ ଜିଲ୍ଲା ପ୍ରଶାସନ ଅଧିକ ସମୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିବା ଦେଖାଯାଇଛି ।
ପୂର୍ବରୁ ବ୍ରହ୍ମପୁର ସହରରେ ଏହି ନୂତନ ସମୟକୁ କାର୍ଯ୍ୟକାରୀ କରିବା ପାଇଁ ନିଗମର କମିଶନର ସୂଚନା ଦେଇଥିବାବେଳେ ରବିବାର ଜିଲ୍ଲାପାଳ ଏନେଇ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲାପାଳଙ୍କ ପକ୍ଷରୁ ଦୋକାନ ଗୁଡ଼ିକରେ ପ୍ରଦତ୍ତ ପଞ୍ଚସୂତ୍ର ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା , ବ୍ୟାରିକେଡ ନିର୍ମାଣ, ସାନିଟାଇଜର୍ ସହିତ ଆସୁଥିବା ଗ୍ରାହକଙ୍କ କଣ୍ଟାକ୍ଟକୁ କଡାକଡି କରାଯାଇଛି । ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ହେଉଥିବା ସଟଡାଉନ ନିୟମ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ