ନୂଆଦିଲ୍ଲୀ: ପିତୃପକ୍ଷ ଆରମ୍ଭ ପରେ ଘରୋଇ ସରଫରା ବଜାରରେ ସୁନା ଓ ରୂପା କ୍ରୟ କମ ରହିପାରେ । ହେଲେ ଭାରତୀୟ ଟଙ୍କା ମଜବୁତ ଯୋଗୁଁ ମହଙ୍ଗା ଧାତୁ ଦାମ ଚାପରେ ରହିପାରେ । କୋରୋନା ମହାମାରୀ ଅନିଶ୍ଚିତତା ମଧ୍ୟରେ ନିବେଶକ ସୁରକ୍ଷିତ ସାଧନ ସୁନା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଯେଉଁଥିପାଇଁ ଚଳିତ ମାସରେ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଗତ ସବୁ ରେକର୍ଡ ଭାଙ୍ଗି ନୂଆ ସ୍ତରରେ ପହଞ୍ଚିଥିଲା ।
ମଲ୍ଚି କମୋଡିଟି ଏକ୍ସଚେଞ୍ଜରେ ଅଗଷ୍ଟରେ ସୁନା ଦାମ 10 ଗ୍ରାମ ପିଛା 56,191 ଟଙ୍କାକୁ ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି । ରୂପା ଦାମ ମଧ୍ୟ ଏମସିଏକ୍ସରେ ଅଗଷ୍ଟ 7ରେ କିଲୋ ପିଛା 77,949 ଟଙ୍କାକୁ ଉଛୁଳି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଅଗଷ୍ଟ 7 ରେ ଆନ୍ତର୍ଜାତୀୟ ଫ୍ୟୁଚର ମାର୍କେଟ କମେକ୍ସରେ ସୁନା ଦାମ ଆଉନ୍ସ ପିଛା ରେକର୍ଡ 2,089.20 ଡଲାରରେ ପହଞ୍ଚିଥିଲା ।
ଏହା ପରଠୁ ସୁନା ଓ ରୂପା ଦାମରେ ହ୍ରାସ ଓ ବୃଦ୍ଧି ଜାରି ରହିଛି । ଗତ ସପ୍ତାହରେ ସୁନା ଓ ରୂପା ଦାମରେ ହ୍ରାସ ବୃଦ୍ଧି ମଧ୍ୟରେ କାରବାର ହୋଇଛି ।
ଡଲାର ଦୁର୍ବଳ ଓ କୋରୋନା ପ୍ରକୋପ ଯୋଗୁଁ ସୁନାକୁ ସପୋର୍ଟ ମିଳିପାରେ, କିନ୍ତୁ ପିତୃପକ୍ଷ ଯୋଗୁଁ ଘରୋଇ ସରଫରା ବଜାରରେ ସୁନା କ୍ରୟ ହ୍ରାସ ହେବା ସମ୍ଭାବନା ରହିଛି ବୋଲି ବିଷେଶଜ୍ଞ କହିଛନ୍ତି ।
ଗତ ସପ୍ତାହରେ ଡଲାର ତୁଳନାରେ ଘରୋଇ ମୁଦ୍ରା ଟଙ୍କା ମଜବୁତ ହୋଇଛି ଏବଂ ଘରୋଇ ଷ୍ଟକ ମାର୍କେଟରେ ମଧ୍ୟ ଅଭିବୃଦ୍ଧି ଧାରା ଦେଖାଦେଇଛି । ଯାହା ସୁନା ଓ ରୂପା ମୂଲ୍ୟ ଉପରେ ଚାପ ସୃଷ୍ଟି କରିବ |
ଘରୋଇ ଫ୍ୟୁଚର ବଜାରରେ ସୁନା 10 ଗ୍ରାମ ପିଛା 51,500-49,00 ଟଙ୍କା ମଧ୍ୟରେ କାରବାର କରିପାରେ ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି 70,000-63,000 ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ପିତୃପକ୍ଷ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବାରୁ ଏହି ସମୟରେ ଲୋକମାନେ ନୂଆ ସାମଗ୍ରୀ କ୍ରୟ କରିନଥାନ୍ତି । ଏପରିକି ଘରେ ବିବାହ, ବ୍ରତ ଭଳି ଶୁଭକାର୍ଯ୍ୟ ହୋଇନଥାଏ । ଫଳରେ ସୁନା ଓ ରୂପା କ୍ରୟ ମାନ୍ଦା ରହିବ । ପୂର୍ବରୁ କୋରୋନା ପ୍ରଭାବ ଆଉ ଏବେ ପିତୃପକ୍ଷ ମଧ୍ୟରେ ଗହଣା କ୍ରୟ ହ୍ରାସ ହେବ ବୋଲି ଆଶଙ୍କା ରହିଛି । ହେଲେ ଟଙ୍କା ମଜବୁତ ଯୋଗୁଁ ସୁନା ଦାମ ଉପରେ ଚାପ ରହିପାରେ ।