ନୂଆଦିଲ୍ଲୀ: ନିକଟରେ ଆଇଡିବିଆଇ ବ୍ୟାଙ୍କକୁ ଏଲଆଇସି ଅଧିଗ୍ରହଣ କରିବା ପରେ ଏହାର ନାମ ବଦଳାଇବା ନେଇ ପ୍ରସ୍ତାବ ଦେଇଥିଲା । ବ୍ୟାଙ୍କର ମାଲିକାନା ସ୍ବତ୍ତ ହାସଲ କରିଥିବାରୁ ଏହାର ନାମ ବଦଳାଇବାକୁ ଏଲଆଇସି ଚାହିଁଥିଲା । ମାତ୍ର ଖବର ଅନୁସାରେ ବ୍ୟାଙ୍କ ନାମ ବଦଳାଇବା ସପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନାହିଁ ।
ରିପୋର୍ଟ ଅନୁସାରେ ଆଇଡିବିଆଇ ବ୍ୟାଙ୍କର ନାମ ବଦଳାଇବା ନିଷ୍ପତ୍ତିକୁ ଆରବିଆଇ ନାପସନ୍ଦ କରିଛି । ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଏଭଳି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ସମର୍ଥନ କରୁନାହିଁ । ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ଗତମାସରେ ବ୍ୟାଙ୍କର ନାମ ପରିବର୍ତ୍ତନ କରି ଏଲଆଇସି ଆଇଡିବିଆଇ ବ୍ୟାଙ୍କ କିମ୍ବା ଏଲଆଇସି ବ୍ୟାଙ୍କ କରିବା ପ୍ରସ୍ତାବ ଦେଇଥିଲା ।
ଗତ ଜାନୁୟାରୀରେ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ଗ୍ରହଣ ପ୍ରକ୍ରିୟାକୁ ଏଲଆଇସି ସମ୍ପୂର୍ଣ୍ଣ କରିସାରିଛି । ବ୍ୟାଙ୍କ ଅଧିଗ୍ରହଣ ପରେ ନାମ ବଦଳାଇବା ପ୍ରସ୍ତାବ ଦେଇଥିଲା ଏଲଆଇସି । ହେଲେ ଏହି ନିଷ୍ପତ୍ତିକୁ ଆରବିଆଇ ବିରୋଧ କରିଛି । ଏହା ପୂର୍ବ ନାମ ସପକ୍ଷରେ ମତ ଦେଇଛି ।
ତେବେ ବ୍ୟାଙ୍କର ନାମ ପରିବର୍ତ୍ତନ ଏତେ ସହଜ ହେବ ନାହିଁ । କାରଣ ଏଥିପାଇଁ ଆରବିଆଇ ଛଡା ଆହୁରି ଅନେକ ସଂସ୍ଥାର ଅନୁମତି ଦରକାର ଅଛି । ରିଜର୍ଭ ବ୍ୟାଙ୍କ ବ୍ୟତୀତ ବ୍ୟାଙ୍କର ନାମ ବଦଳକୁ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ, ସେୟାର ଧାରକ, ସେୟାର ବଜାର ସମେତ ଅନ୍ୟ ସଂସ୍ଥାର ମଞ୍ଜୁରି ଆବଶ୍ୟକତା ମଧ୍ୟ ରହିଛି ।