ନୂଆଦିଲ୍ଲୀ: ମେ 19 । ଗଣତନ୍ତ୍ର ମହାପର୍ବର ହେବ ଅନ୍ତ । ଆଉ ଆରମ୍ଭ ହେବ ମୁଦ୍ରାସ୍ପୀତିର ବଡ ଝଡ ! ତେଲ ତାତିରେ ଗରମ ଅସମ୍ଭାଳ ହୋଇପାରେ ପରିସ୍ଥିତି । ଦେଖାଦେଇପାରେ ବିକ୍ଷୋଭ, ଆନ୍ଦୋଳନ ଓ ନାରାବାଜି । ପେଟ୍ରୋଲ ଓ ଡିଜେଲ ପାଇଁ ରାସ୍ତାରେ ଜଳିପାରେ ନିଆଁ । କାରଣ ଆନ୍ତର୍ଜାତିକ ପ୍ରଭାବ ଅର୍ଥାତ ଇରାନରୁ ଆମଦାନୀ ବନ୍ଦ ପରେ ଭାରତରେ ତେଲ ଦର ଆକାଶ ଛୁଆଁ ହେବା ଜଳଜଳ ଦେଖାଯାଇଛି ।
ଆମେରିକାର ଧମକ ପରେ ଇରାନରୁ ତେଲ ଇମ୍ପୋର୍ଟ କରୁଥିବା ଦେଶ ଗୁଡିକର ହାତ ବାନ୍ଧି ହୋଇଯାଇଛି । ଆଉ ଏସବୁର ଅଧିକ ପ୍ରଭାବ ଭାରତ ଉପରେ ପଡିବ । କାରଣ ଭାରତ ଅଶୋଧିତ ତୈଳ ବ୍ୟବହାର କରାଯାଉଥିବାର ସର୍ବାଧିକ ପରିମାଣ କେବଳ ଇରାନରୁ ଆମଦାନୀ କରାଯାଇଥାଏ ।
ଭାରତରେ 2018-19ରେ ଯେତେ ତେଲ ଉପଭୋଗ କରାଯାଇଛି, ତାହାର 83.7% ଆମଦାନୀ ହୋଇଛି । ଏଥିପାଇଁ 114.2 ବିଲିୟନ ଡଲାର ଖର୍ଚ୍ଚ କରାଯାଇଥିଲା । ଯାହାକି 2015-16 ତୁଳନାରେ ଦେଢ ଗୁଣା ଅଧିକ ରହିଛି । ପ୍ରକାଶ ଥାଉ ଯେ, 2015-16ରେ ଭାରତ ଅଶୋଧିତ ତେଲ କିଣିବା ପାଇଁ 65.6 ବିଲିୟନ ଡଲାର ନିବେଶ କରିଥିଲା । ବିଶେଷ କରି ଭାରତ ତାର ବ୍ୟବହାରର 10 ପ୍ରତିଶତ କେବଳ ଇରାନରୁ ଆମଦାନୀ କରିଥାଏ । ଏଥିପାଇଁ ଦେଶକୁ ବହୁତ ପ୍ରଫିଟ ବି ମିଳେ । ଶସ୍ତା ଓ ବିନା ଶୁକ୍ଲରେ ବନ୍ଦରରୁ ଆସିଯାଏ । ଇରାନର ବିଶ୍ବର ସର୍ବବୃହତ୍ତ ତୈଳ ରପ୍ତାନୀକାରୀ ରାଷ୍ଟ୍ର । ମୋଟ ରପ୍ତାନୀର 4 ପ୍ରତିଶତ ଭାଗ କେବଳ ଇରାନ ହାତରେ । ହେଲେ ଏବେ ଏହାର ଭରଣପୋଷଣ କିପରି କରିବ, ସେ ନେଇ ଚିନ୍ତାରେ ଭାରତ ।
ତେବେ ଏବେ ମୋଟ ପରିମାଣକୁ ଦେଖିବାକୁ ଗଲେ ଯଦି ତେଲ ରପ୍ତାନୀ ବନ୍ଦ କରେ । ତାହାହେଲେ ବଜାରରୁ 4 ପ୍ରତିଶତ ତେଲର ଭରଣପୋଷଣ ହେବା ମୁସକିଲ ହୋଇପଡିବ । ଚାହିଦା ଅନୁଯାୟୀ ଯୋଗାଣ କମିବ । ଆଉ ଯଦି ଯୋଗାଣ କମେ ତେବେ ଦର ବୃଦ୍ଧି ସ୍ବାଭାବିକ । ଭବିଷ୍ୟତକୁ ନଜରରେ ରଖି ଏବେ ଠାରୁ ତେଲ ଦର ବଢାଇଦିଆଗଲାଣି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର 10 ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭାରତରେ ସ୍ଥିତି ସ୍ଥିର ରହିଛି । ତୈଳ କମ୍ପାନୀଗୁଡିକ କ୍ଷତିର କ୍ଷରଣପୋଷଣ ପାଇଁ ଯୋଜନା କରୁଛନ୍ତି । ହେଲେ କେତେ ଦିନ ? ଶେଷରେ ସବୁ ବୋଝ କମ୍ପାନୀମାନେ ଉପଭୋକ୍ତାଙ୍କ ମୁଣ୍ଡରେ ହିଁ ଲଦିବେ ।