ନୂଆଦିଲ୍ଲୀ: ଟ୍ରାକକୁ ଫେରୁଛି ଅର୍ଥନୀତି । ରାଜସ୍ବ ଆଦାୟରେ ଦେଶର ଐତିହାସିକ ରେକର୍ଡ । ସବୁ ପୁରୁଣା ରେକର୍ଡ ଭାଙ୍ଗି ଉପରମୁହାଁ ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ 1.23 ଲକ୍ଷ କୋଟିରେ ପହଞ୍ଚିଛିଛି । ଗୁରୁବାର ଅର୍ଥମନ୍ତ୍ରାଳୟ ପକ୍ଷରୁ ତଥ୍ୟ ଜାରି ହୋଇଛି ।
ଏବେ ସୁଦ୍ଧା ଲଗାତାର ଷଷ୍ଠ ଥର ଧରି ଦ୍ରବ୍ୟ ଓ ସେବା କର ( ଜିଏସଟି) ଆଦାୟ 1 ଲକ୍ଷ କୋଟି ଟଙ୍କା ଟପିଛି । ଅର୍ଥମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚରେ 1,23,902 କୋଟି ଜିଏସଟି ଆଦାୟ ହୋଇଛି । ଦେଶରେ ଜିଏସଟି ଲାଗୁ ପରଠୁ ମାର୍ଚ୍ଚ ମାସର ସଂଖ୍ୟା ସବୁଠୁ ଅଧିକ । ସେହିପରି ମହାମାରୀ ପରେ ଲଗାତାର 4ର୍ଥ ଥର ଏହା 1.1 ଲକ୍ଷ କୋଟି ଟଙ୍କାରୁ ଅଧିକ ଅଛି । ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ଦେଶର ଅର୍ଥବ୍ୟବସ୍ଥା ସୁଧାର ପଥରେ ।
ମନ୍ତ୍ରାଳୟ ଅନୁସାରେ 2021 ମାର୍ଚ୍ଚରେ 1.23 ଲକ୍ଷ କୋଟିର ମୋଟ ଜିଏସଟି ସଂଗ୍ରହରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି)ର 22,973 କୋଟି ଟଙ୍କା, ରାଜ୍ୟ ଜିଏସଟି (ଏସଜିଏସଟି) 29,329 କୋଟି ଓ ଆଇଜିଏସଟି 62,842 କୋଟି ଟଙ୍କା ରହିଛି । ଏଥିରେ ଉପକରର ଯୋଗଦାନ 8,757 କୋଟି ଟଙ୍କା ( ଦ୍ରବ୍ୟର ଆମଦାନୀ ଉପରୁ ଏକତ୍ର 935 କୋଟି ଟଙ୍କା ସାମିଲ ) ରହିଛି ।
ଏହା ପୂର୍ବ ମାସ ଫେବୃଆରୀରେ ଜିଏସଟି ଆଦାୟ 1,13,143 କୋଟି ଟଙ୍କା ଥିଲା । 2021 ମାର୍ଚ୍ଚ ମାସରେ ରାଜସ୍ବ ଗତ ବର୍ଷର ସମାନ ଅବଧି ତୁଳନାରେ 27 ପ୍ରତିଶତରୁ ଅଧିକ ଅଛି ।
ଗତ ଏ ବର୍ଷରେ ଦେଶରେ ଜିଏସଟି ସଂଗ୍ରହ କେତେ ଥିଲା
ମାର୍ଚ୍ଚ 2020 | 97,597 |
---|---|
ଏପ୍ରିଲ 2020 | 32,294 |
ମେ 2020 | 62,009 |
ଜୁନ2020 | 90,917 |
ଜୁଲାଇ 2020 | 87,422 |
ଅଗଷ୍ଟ 2020 | 86,449 |
ସେପ୍ଟେମ୍ବର 2020 | 95,480 |
ଅକ୍ଟୋବର 2020 | 1,05,155 |
ନଭେମ୍ବର2020 | 1,04,963 |
ଡିସେମ୍ବର 2020 | 1,15,174 |
ଜାନୁଆରୀ 2021 | 1,19,847 |
---|---|
ଫେବୃଆରୀ2021 | 1,13,143 |
ମାର୍ଚ୍ଚ 2021 | 1,23,902 |
---|