ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅଘଟଣ । ଭୁଶୁଡିଲା ଚାରି ମହଲା ବିଶିଷ୍ଟ କୋଠା ଉପରେ ଥିବା ପାଣି ଟାଙ୍କି । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବୁଧବାର (ଅଗଷ୍ଟ2) ବିଳମ୍ବିତ ରାତିରେ ଶିବାଜୀନଗରରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅରୁଲ ଓ ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ପୋଲିସର ସୂଚନା ମୁତାବକ, ଏକ ଚାରି ମହଲା କୋଠା ଉପରେ ପାଣି ଟାଙ୍କି ରହିଥିଲା । ସେହି କୋଠାର ତଳେ ଏକ ଫାଷ୍ଟଫୁଡ ଦୋକାନ ରହିଥିଲା । ହଠାତ୍ ଗତକାଲି ବିଳମ୍ବିତ ରାତିରେ ପାଣି ଭର୍ତ୍ତି ହୋଇଥିବା ଟାଙ୍କି ସହ କୋଠାର କାନ୍ଥ ଭୁଶୁଡି ପଡିଥିଲା । ଫଳରେ ବିଲ୍ଡିଂର ତଳେ ଛିଡା ହୋଇଥିବା ଫାଷ୍ଟଫୁଡ ଦୋକାନ ମାଲିକ ଓ ଜଣେ ଗ୍ରାହକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଏନେଇ ଖବର ପାଇ ଶିବାଜୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହା ମଧ୍ୟ ପଢନ୍ତୁ-Gujarat: ବିଲ୍ଡିଂର କଲୋନୀ ଭୁଶୁଡି ମହିଳା ମୃତ, 17 ଆହତ
ଘଟଣା ସ୍ଥଳ ପରିଦର୍ଶନ କରିଥିବା ଇଷ୍ଟ ଡିଭିଜନ ଡିସିପି ଭୀମଶଙ୍କର ଗୁଲେଡ ସୂଚନା ଦେଇଛନ୍ତି ଯେ, ବୁଧବାର ରାତି 10ଟା 30 ମିନିଟ ସମୟରେ ଏପରି ଦୁଃଖଦ ଘଟଣା ଘଟିଥିଲା । ଶିବାଜୀନଗର ବସଷ୍ଟାଣ୍ଡ ନିକଟରେ ଥିବା ଏକ କୋଠାର ପାଣି ଟାଙ୍କି ଭୁଶୁଡି ପଡିଥିଲା । ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ମୃତକ ହେଉଛି ଅରୁଲ, ଯାହାଙ୍କ ବୟସ 40 ବର୍ଷ । ଅନ୍ୟ ଜଣେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । କମଲ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେଣୁ ତାଙ୍କୁ ବୋରିଂ ହସ୍ପିଟାଲରୁ ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଉ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାର ତଦନ୍ତ ଚାଲିଛି, ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।
ଅଗଷ୍ଟ 2 ତାରିଖରେ ଗୁଜୁରାଟ ଭାବନଗରରେ ଏକ 7 ମହଲା ବିଶିଷ୍ଟ ବିଲ୍ଡିଂର ଦୁଇଟି ବାଲକୋନୀ ଭୁଶୁଡି ପଡିଥିଲା । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ 17 ଜଣ ଆହତ ହୋଇଥିଲେ । ବିଲ୍ଡିଂର ପ୍ରଥମ ଓ 2ୟ ମହଲାର ବାଲକୋନୀ ଭୁଶୁଡି ପଡିଥିଲା । କଂକ୍ରିଟ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।