ନୂଆଦିଲ୍ଲୀ: ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । କୃଷି ଆଇନ ରଦ୍ଦ ହେବା ପରେ ଆନ୍ଦୋଳନକାରୀ କୃଷକଙ୍କ ସମେତ ଖୁସିପ୍ରକାଶ କରିଛି କଂଗ୍ରେସ । ଗତକାଲି (ଶୁକ୍ରବାର) ପିଏମଙ୍କ ଘୋଷଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକଙ୍କୁ ଏକ ଚିଠି ଲେଖି ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସଙ୍ଗେ ଭବିଷ୍ୟତରେ କୃଷକଙ୍କ ଏଭଳି ପ୍ରତିଟି ସଂଘର୍ଷରେ କଂଗ୍ରେସ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କୃଷି ଆଇନ ହଟିବା ନେଇ ଘୋଷଣା ପରେ ମଧ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ । କୃଷକମାନେ ଜାଣନ୍ତି ସେମାନଙ୍କ ପାଇଁ କ'ଣ ଉଚିତ୍ ଓ ଅନୁଚିତ୍ । କିଛି ପୁଞ୍ଜିପତିଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କୁ ସେମାନଙ୍କ ନିଜ ମାଟିରେ ଗୋଲାମ ବନାଇବାକୁ କରିଥିବା ଷଡଯନ୍ତ୍ର ଯେପରି ପୁନର୍ବାର କରିବାକୁ ସାହାସ ନ କରନ୍ତୁ । ଯେମିତିକି, ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ତେଣୁ ଏହାକୁ ପୁରା କରିବା ଦିଗରେ ସେ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ମୁଖ୍ୟ ।
ଗତ ଗୋଟିଏ ବର୍ଷ ଧରି ଭୀଷଣ ଖରା, ବର୍ଷା, ଶୀତ ଓ ନାନା ଅତ୍ୟାଚାର ସତ୍ତ୍ବେ କୃଷକ ଯେଉଁ ସତ୍ୟାଗ୍ରହ ଜିତିଛନ୍ତି ତାହା ସ୍ବତନ୍ତ୍ର ଭାରତର ଇତିହାସରେ ଅଦ୍ବିତୀୟ । ସଂଘର୍ଷରେ ବଳିଦାନ ଦେଇଥିବା ୭୦୦ରୁ ଉର୍ଦ୍ଧ୍ବ କୃଷକ ଏବଂ ଶ୍ରମିକଙ୍କ ତ୍ୟାଗ ଆଗରେ ରାହୁଲ ନିଜ ମୁଣ୍ଡ ନତମସ୍ତକ ହୋଇଥିବା ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ