କୋଲକାତା: ବାତ୍ୟା ୟସ ଯୋଗୁଁ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ପାଇଁ ଓଡିଶା ପରେ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ଏଠାରେ ମୋଦି ଏକ ସମୀକ୍ଷା ବୈଠକ କରିଥିଲେ । ହେଲେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଅଧଘଣ୍ଟାଏ ଅପେକ୍ଷା କରିବାକୁ ପଡିଥିଲା ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ବୈଠକ ଘରେ ବସିଥିଲେ । ହେଲେ ଠିକ ସମୟରେ ପହଞ୍ଚିନଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାଞ୍ଚ କି ଦଶ ମିନିଟ ନୁହେଁ । ମମତାଙ୍କୁ ଚାହିଁଚାହିଁ ବିତିଗଲା 30 ମିନିଟ । ଆଉ 30 ମିନିଟ ପରେ ପହଞ୍ଚିଥିଲେ ମମତା ।
କୁହାଯାଉଛି ଯେ ବୈଠକରେ 30 ମିନିଟ ବିଳମ୍ବରେ ପହଞ୍ଚିବା ପରେ ମମତା ବାନାର୍ଜୀ ବାତ୍ୟା ପ୍ରଭାବିତ କ୍ଷୟକ୍ଷତି ସହ ଜଡିତ ଦସ୍ତାବିଜ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ହସ୍ତାନ୍ତର କରି ସେଠାରୁ ଚାଲିଆସିଲେ । ମମତାଙ୍କ କହିବା ଅନୁଯାୟୀ, ତାଙ୍କୁ ଆଉ ଏକ ବୈଠକରେ ସାମିଲ ହେବାର ଥିଲା । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଉପସ୍ଥିତ ରହିପାରିଲେ ନାହିଁ ।
ଘଟଣାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ଟ୍ବିଟ କରି କହିଛନ୍ତି, ସାମ୍ନାସାମ୍ନିର ଏହି ଆଭିମୁଖ୍ୟ ରାଜ୍ୟ ତଥା ଗଣତନ୍ତ୍ରର ହିତରେ ନୁହେଁ । ଏହା ସାମ୍ବିଧାନିକ ଢାଞ୍ଚାପ୍ରଦତ୍ତ ଶାସନ ପ୍ରଣାଳୀର ଅନୁରୂପ ନୁହେଁ ।
ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସଫେଇ ଦେଇ କହିଛନ୍ତି, ସେ ଦିଘା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଦେଇଥିଲି । ସେ କହିଛନ୍ତି, ହିଙ୍ଗଲଗଞ୍ଜ ଓ ସାଗରରେ ସମୀକ୍ଷା ବୈଠକ ପରେ କଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗରେ ବାତ୍ୟା ପରର ସ୍ଥିତି ସମ୍ପର୍କରେ ଅବଗତ କରାଇଲି ।