ନୂଆଦିଲ୍ଲୀ: ନିଲାମ ହେବ ଜାତୀୟ ପିତା ମହାତ୍ମା ଗାନ୍ଧୀ ବ୍ୟବହାର କରୁଥିବା ଗିନା ଓ ଚାମଚ। ଜାନୁଆରୀ 10 ତାରିଖରେ ୟୁନାଇଟେଡ କିଙ୍ଗଡମର ବ୍ରିଷ୍ଟଲ ସହରରେ ଏହି ନିଲାମ ପ୍ରକ୍ରିୟା ହେବ । ୟୁନାଇଟେଡ କିଙ୍ଗଡମରେ ମହାତ୍ମା ଗାନ୍ଧୀଙ୍କ ଏହି ସବୁ ଜିନିଷର ମୂଲ୍ୟ 55 ହଜାର ଜିବିପି ରହିଛି । ଭାରତୀୟ ମୁଦ୍ରା ଅନୁଯାୟୀ ଅନ୍ୟ ସମସ୍ତ ଖର୍ଚ୍ଚକୁ ମିଶାଇଲେ ଏହି ଗିନା ଓ ଚାମଚ ପ୍ରାରମ୍ଭିକ ମୂଲ୍ୟ 1 କୋଟି 20 ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି ।
କୋରୋନା ମହାମାରୀ ଯୋଗୁଁ ଅନଲାଇନ ମାଧ୍ୟମରେ ଏହି ନିଲାମ ପ୍ରକ୍ରିୟା କରାଯିବ । ଏହି ମୂଲ୍ୟ ବୃଦ୍ଧି ପାଇ 2 କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ନିଲାମ କରୁଥିବା ସଂସ୍ଥା ଆକଳନ କରିଛି । 1942ରୁ 1944 ମସିହା ମଧ୍ୟରେ ପୁନେସ୍ଥିତ ଆଗା ଖାନ କାରାଗାର ଓ ପାମ ବନ ହାଉସରେ ଥିବାବେଳେ ମହାତ୍ମା ଗାନ୍ଧୀ ଏହି ଗିନା ଓ ଚାମଚ ବ୍ୟବହାର କରୁଥିଲେ ।
21 ସେଣ୍ଟିମିଟର ପରିମିତ ଗିନା ଓ 16 ସେଣ୍ଟିମିଟ ପରିମିତ ଚାମଚ ଉପରେ 208/42ର ଷ୍ଟାମ୍ପ ରହିଛି। ବ୍ରିଷ୍ଟଲ କାଟାଲଗ ସଂସ୍ଥା ପକ୍ଷରୁ ଏହି ନିଲାମ କରାଉଛନ୍ତି। ଗାନ୍ଧିଜୀଙ୍କ ବନ୍ଧୁ ତଥା ସମର୍ଥକ ସୁମତି ମୋରାର୍ଜୀ ମହାତ୍ମା ଗାନ୍ଧୀଙ୍କ ଲିଖିତ କେତେକ ଚିଠି, ତାଙ୍କର କେତେକ ଫଟୋ, ଜୋତା ଓ ପୁସ୍ତକ ସଂଗ୍ରହ କରିଥିଲେ। ଏନେଇ ସୁମତି ମୋରାର୍ଜୀଙ୍କ ଲିଖିତ ଏକ ପୁସ୍ତକରେ ବର୍ଣ୍ଣିତ ରହିଥିଲା।
@ani