ହାଇଦ୍ରାବାଦ: ଦୁଇଟି ଦେଶ, ଦୁଇଟି ଧର୍ମ...ଆଉ ଧର୍ମ ପାଇଁ ଯୁଦ୍ଧ । ଜଣେ ଜିତିବା ପାଇଁ ଲଢୁଛି, ଆଉ ଜଣେ ନିଜ ଅସ୍ତିତ୍ବ ବଜାୟ ରଖିବା ପାଇଁ । ଉଭୟ ଦେଶ ନିଜ ନିଜ ଧର୍ମକୁ ସମ୍ବେଦନଶୀଳ, ଯାହା ପରିଶେଷରେ ସଂଘର୍ଷର ରୂପ ନେଇଛି । ଏହା ଆଜି କି କାଲିର କଥା ନୁହେଁ, ବରଂ କଥା ଏହା 19 ଶତାବ୍ଦୀର କଥା । ଯେତେବେଳେ ଗୋଟିଏ ଧର୍ମ ବଞ୍ଚିବା ପାଇଁ ରାହା ଖୋଜୁଥିଲା । ଅବ୍ରାହମ ଧର୍ମରୁ ଜାତ 3 ଟି ମୁଖ୍ୟ ଧର୍ମ-ଇହୁଦୀ ଧର୍ମ, ଇଶାଇ(ଖ୍ରୀଷ୍ଟିଆନ୍), ଇସଲାମ । କୁହାଯାଏ, ଇହୁଦୀ ପରେ ଇସାଇ ଓ ଇସାଇରୁ ଇସଲାମର ଜନ୍ମ । ଆମ ବିଶ୍ବରେ ଇସଲାମ ଓ ଇସାଇଙ୍କ ସଂଖ୍ୟା ସର୍ବାଧିକ । ସମୟ ଥିଲା ଯେତେବେଳେ ଇହୁଦୀ ସର୍ବବ୍ୟାପୀ ଥିଲେ ମାତ୍ର କାଳକ୍ରମେ ସେମାନଙ୍କ ବଂଶ ଲୋପ ପାଇବାକୁ ବସିଲା ଆଉ ବଳିଗଲା କେବଳ ଇସ୍ରାଏଲ୍ । ଏବେ ଇସ୍ରାଏଲ୍ ଉପରେ ମଧ୍ୟ ଆରବ ଦେଶର ନଜର । ଆରବ ଦେଶ ମଧ୍ୟରେ ପାଲେଷ୍ଟାଇନ ଗୋଟିଏ ଦେଶ ଆଉ ଇସ୍ରାଏଲ-ପାଲେଷ୍ଟାଇନ୍ ଆଜି ଆମ ଆଲୋଚନାର ବିଷୟ ।
ଧର୍ମ ଓ ଧାର୍ମିକ ବିଶ୍ବାସ ନେଇ ଯଦି ଦୁଇ ଦେଶ ବିଷୟରେ ଆଲୋଚନା କରିବା ତେବେ ତାହା ଗୋଟେ ଅଲଗା ଅଧ୍ୟାୟ ହେବ । ତେଣୁ ଆମେ ଦେଶର ଉଦଭାବନରୁ ଆଲୋଚନା କରିବା । 10 ଶତାବ୍ଦୀରେ ରୁଷିଆ-ୟୁରୋପରେ ଆଣ୍ଟି ସେମିଟିଜିମ୍ ଓ ଜିଙ୍ଗୋଇଜିମ ବଢିବାକୁ ଲାଗିଲା । ଆଣ୍ଟି ସେମିଟିଜିମର ଅର୍ଥ ଇହୁଦୀଙ୍କ ସମୂଳେ ନାଶ । ଧିରେ ଧିର ଏହି ପ୍ରତିବାଦ ଇହୁଦୀଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲା ତେଣୁ ସେମାନେ ପ୍ରାଣ ବଞ୍ଚାଇବା ପାଇଁ ପାଲେଷ୍ଟାଇନ ଅଭିମୁଖେ ଯାତ୍ରା କରିବା ଆରମ୍ଭ କଲେ । 1881-1884 ମଧ୍ୟରେ ରୁଷିଆରେ ଇହୁଦୀଙ୍କ ବିରୋଧରେ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଲା । ଖାଲି ରୁଷ୍ ନୁହେଁ ସେତେବେଳେ ଜର୍ମାନୀର ହିଟଲର୍ ଶାସନ ମଧ୍ୟ କୌଣସି ଗୁଣରେ କମ୍ ନଥିଲା । ଇହୁଦୀଙ୍କୁ ସେମାନେ ଏତେ ଘୃଣା କରୁଥିଲେ ଯେ, ଟ୍ରେନରେ ଲକ୍ଷ ଲକ୍ଷ ଇହୁଦୀଙ୍କୁ ଆଣି ଗ୍ୟାସ ଚାମ୍ବରକୁ ଠେଲି ଦେଉଥିଲେ । ଗ୍ୟାସ ଚାମ୍ବରରେ ଉଚ୍ଚ ତାପମାତ୍ରାରେ ବିଶାକ୍ତ ଗ୍ୟାସ ଥାଏ, ଯାହା ଇହୁଦୀଙ୍କୁ 5 ମିନିଟ ବି ନିଶ୍ବାସ ନେବାକୁ ଦିଏନି । ଏମିତି କରି ହିଟଲର୍ ପ୍ରାୟ 80 ଲକ୍ଷ ଇହୁଦୀଙ୍କ ହତ୍ୟା କରିଛି ।
1917 ପ୍ରଥମ ବିଶ୍ବ ଯୁଦ୍ଧରେ ବ୍ରିଟିସରମାନେ ପାଲେଷ୍ଟାଇନକୁ ଓଟୋମୋନ ଟର୍କୋମୋନ୍ ଶାସନରୁ ମୁକ୍ତ କରି ନିଜ ଅକ୍ତିଆରକୁ ଆଣିଲେ ଆଉ ସେମାନେ ଇହୁଦୀଙ୍କ ପାଇଁ ଗଢିବାକୁ ଚାହିଁଲେ ଦେଶ ଭିତରେ ଆଉ ଗୋଟେ ଦେଶ । ପାଲେଷ୍ଟାଇନ ମଧ୍ୟରେ ଇସ୍ରାଏଲ ଗଠନ ନେଇ ବ୍ରିଟିଶର ଆଣିଲେ ବାଲଫୋର୍ ଡିକଲାରେସନ୍( Balfour declaration) ମାତ୍ର 1919ରେ ପାଲେଷ୍ଟାଇନ୍ ଏହାକୁ ବିରୋଧ କଲା ତ' କିଛି ସମୟ ପାଇଁ ଦେଶ ଗଠନକୁ ସ୍ଥଗିତ ରଖାଗଲା । ତେବେ ପୁଣି 1922ରେ ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ଷ୍ଟ୍ରକଚର୍ ଲିଗ୍ ନେସନ୍ ପୁଣି ଏହି ମାମଲାକୁ ଅଫିସିଆଲି ସମର୍ଥନ କରିବା ଆରମ୍ଭ କଲା । 1936 ବେଳକୁ ପ୍ରାୟ ସମସ୍ତ ଆରବ ଦେଶ ଇସ୍ରାଏଲ୍ ଗଠନ ବିରୋଧରେ ଏକାଠି ହୋଇଗଲେ ଓ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଦେଲେ ମାତ୍ର 1939 ବେଳକୁ ବ୍ରିଟିଶର ଏହାକୁ ଦମନ କରିସାରିଥିଲେ । ଅନେକ ବାଦ ବିବାଦ ପରେ ଶେଷରେ 1948 ବେଳକୁ ଗଠିତ ହେଲା ଇସ୍ରାଏଲ୍ । ସଂଯୁକ୍ତ ରାଷ୍ଟ୍ର ରିଜୋଲେସନ୍ 181 ରେ ପାଲେଷ୍ଟାଇନରୁ ଇହୁଦୀ ଆଉ ଆରବ ଦେଶ ମଧ୍ୟରେ ବାଣ୍ଟିଦେଲେ । ଏ ସବୁ ମଧ୍ୟରେ ଗୁରୁତ୍ବ ବହନ କରୁଥିବା ଜେରୁଜେଲମକୁ ସଂଯୁକ୍ତ ରାଷ୍ଟ୍ର ନିଜ କବଜାରେ ରଖିଲା ।
ଛୋଟିଆ ଦେଶଟିଏ ଇସ୍ରାଏଲ୍, ଲୋକ ସଂଖ୍ୟା ବି ବହୁତ କମ୍ ମାତ୍ର ସେମାନଙ୍କ ଏକତା ସେମାନଙ୍କୁ ଆତ୍ମନିର୍ଭର କରିପାରିଛି । ଆଉ ଏହି ଆତ୍ମନିର୍ଭରର ପ୍ରମାଣ ସେମାନେ ପ୍ରତ୍ୟେକ ଥର ଯୁଦ୍ଧରେ ଦେଖାଇ ଦେଇଛନ୍ତି । ଇସ୍ରାଏଲ ଗଠିତ ହେବା ପରେ ପ୍ରଥମେ ଆରବ ଦେଶ ଓ ଇସ୍ରାଏଲ୍ ମଧ୍ୟରେ 8 ମାସର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ଚାଲିବା ମଧ୍ୟରେ ପ୍ରାୟ 7 ଲକ୍ଷରୁ ଉର୍ଦ୍ଧ୍ବ ପାଲେଷ୍ଟାଇନ ବାସିନ୍ଦା ୱେଷ୍ଟ ବ୍ୟାଙ୍କ, ଗାଜା ଓ ପଡୋଶୀ ଆରବ ଦେଶକୁ ସ୍ଥାନାନ୍ତିରତ ହୋଇଗଲେ । ପୁଣି 1967ରେ ଆଉ ଏକ 6 ଦିନିଆ ଯୁଦ୍ଧରେ ଇସ୍ରାଏଲ୍ ଏକୁଟିଆ ଇଜିପ୍ଟ, ଜୋରଦାନ, ସିରିଆକୁ ହରାଇଥିଲା । ଆଉ ପାଲେଷ୍ଟାଇନ ମଧ୍ୟରେ ଥିବା ୱେଷ୍ଟ ବ୍ୟାଙ୍କ, ଗାଜା, ଗୋଲାନ୍ ହାଇଟକୁ ଅକ୍ତିଆର କରିଥିଲା । ଏତେ ପରେ ବି ଆରବ ଦେଶ ପୁଣି 1973ରେ ଇସ୍ରାଏଲ ଉପରେ ଆକ୍ରମଣ କଲା ଆଉ ପରାସ୍ତ ହେଲା । ପାଲେଷ୍ଟାଇନ ସେନାକୁ ଜବାବ ଦେବା ପାଇଁ ଇସ୍ରାଏଲ ଲେବାନନ୍ ଉପରେ ଆକ୍ରମଣ କଲା ।
ସେପଟେ 1987-1993ରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଶାନ୍ତି ଚୁକ୍ତି ହେଲା ମାତ୍ର ତାହା ମଧ୍ୟ ବିଫଳ ହେଲା । ଏହାପରେ ପିଏଲଓ( ପାଲେଷ୍ଟାଇନ ଲିବେରେସନ୍ ଅର୍ଗାନାଇଜେସନ୍) ମୁଖ୍ୟ ୟସୀର ଅରଫାତ ଗାଜା ଓ ଜେରିକୋରେ ଜବରଦସ୍ତି ଶାସନ ଆରମ୍ଭ କଲେ । ମାତ୍ର ସଂଘର୍ଷ ସେବେ ବଢିଲା ଯେତେବେଳେ ଧାର୍ମିକ ଭାବନାକୁ ଆଘାତ ଲାଗିବା ଆରମ୍ଭ ହେଲା । ଇସ୍ରାଏଲର ଦକ୍ଷିଣପନ୍ଥୀ ନେତା ଏରିୟର ଶାରୋନ୍ ଜେରୁଜେଲମ ସ୍ଥିତି ମୁସଲମାନଙ୍କ ତୃତୀୟ ସବୁଠାରୁ ପବିତ୍ର ସ୍ଥାନ ଅଲ-ଅସ୍କା ମସଜିଦରେ ପ୍ରବେଶ କଲେ । ଅଲ-ଅସ୍କା ମସଜିଦ ପୂର୍ବ ଜେରୁଜେଲମର ଟେମ୍ପଲ ମାଉଣ୍ଟରେ ଅବସ୍ଥିତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଉଭୟ ଇହୁଦୀ ଆଉ ଇସଲାମଙ୍କ ପାଇଁ ଧର୍ମୀୟ ସ୍ଥଳୀ, ଯାହା ଉଭୟ ଦେଶର ସଂଘର୍ଷର ଏକ ପ୍ରମୁଖ କାରଣ ।
2004 ରେ ଅରଫାତଙ୍କ ମୃତ୍ୟୁ ପରେ ମହମ୍ମଦ ଅବାସ ଶାସନକୁ ଆସିଲେ । ତାଙ୍କ ଶାସନରେ ଆସିବାର କିଛି ମାସ ପରେ ଗାଜାରେ ଥିବା ଇସ୍ରାଏଲ୍ ସେନା ପ୍ରତ୍ୟାହାର କଲା । 2007ରେ ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ‘ହମାସ୍’ ଗାଜାକୁ ନିଜ ଅକ୍ତିଆରରେ ନେଲା । ହମାସର ସ୍ଥାପନା ପରେ ଇସ୍ରାଏଲ ପ୍ରତି ବିପଦ ଆହୁରି ବଢିବାରେ ଲାଗିଲା । ଏହାକୁ ନେଇ ଇସ୍ରାଏଲ 2014ରେ ଗାଜାରେ ନୂଆ ଅପରେସନ ଲଞ୍ଚ କଲା । ତେବେ ଏହି ସମସ୍ତ ପ୍ରକ୍ରିୟା ମଧ୍ୟରେ ପାଲେଷ୍ଟାଇନ ସରକାର ଓ ହମାସ୍ ମଧ୍ୟରେ 2017ରେ ଚୁକ୍ତି ହେଲା । ଚୁକ୍ତିର କୁହାଗଲା କି ଗାଜାରେ ପାଲେଷ୍ଟାଇନର ଫତେହ ସରକାର ନିର୍ବାଚନ କରିପାରିବ ତେବେ ଏହି ପ୍ରକ୍ରିୟା ଏପର୍ଯ୍ୟନ୍ତ ଜାରି ରହିଛି ।
ତେବେ ଇଏ ତ ଥିଲା ଦୁଇ ଦେଶ ମଧ୍ୟରେ ଅସ୍ତିତ୍ବ ପାଇଁ ଲଢେଇ । ଏଥିରେ ଧର୍ମ କେଉଁଠି ରହିଲା ? ପାଲେଷ୍ଟାଇନରେ ଯିହୁଦୀଙ୍କ ପ୍ରବେଶର ପ୍ରମୁଖ କାରଣ ଥିଲା ପୂର୍ବ ଜେରୁଜେଲମ୍ । ବିଶ୍ବର ପ୍ରମୁଖ ଧାର୍ମିକ ସ୍ଥଳୀ ମଧ୍ୟରୁ ଗୋଟିଏ । ପ୍ରଥମେ ଯେତେବେଳେ ଇସ୍ରାଏଲ୍ ଓ ପାଲେଷ୍ଟାଇନ ଭାଗ ଭାଗ ହେଲା ସେତେବେଳେ ଜେରୁଜେଲମ୍ ପାଲେଷ୍ଟାଇନ୍ ଅଧିନରେ ଥିଲା ମାତ୍ର ଧିରେ ଧିରେ ଇସ୍ରାଏଲ୍ ସଂଘର୍ଷ କରି ପାଲେଷ୍ଟାଇନର ଏକାଧିକ ଭାଗକୁ ଅକ୍ତିଆର କରିନେଇଛି । ତେବେ କହିବାକୁ ଗଲେ ଜେରୁଜେଲମ୍ ସଂଯୁକ୍ତ ରାଷ୍ଟ୍ରର ନିୟନ୍ତ୍ରଣରେ ଅଛି ମାତ୍ର ଇସ୍ରାଏଲ, ଜେରୁଜେଲମକୁ ରାଜଧାନୀ ଘୋଷଣା କରି ସାରିଛି । ଅଫିସିଆଲି ତେଲ ଆଭିଭି ଇସ୍ରାଏଲର ରାଜଧାନୀ ମାତ୍ର ଇସ୍ରାଏଲ ପାଇଁ ଜେରୁଜେଲମ ହିଁ ତାର ରାଜଧାନୀ । ଏପଟେ ପାଲେଷ୍ଟାଇନର ମଧ୍ୟ ସମାନ ଦାବି । ତେବେ ଏମିତି କାହିଁକି ?
ପୂର୍ବ ଜେରୁଜେଲମରେ ଥିବା ଟେମ୍ପଲ୍ ମାଉଣ୍ଟରେ ଉଭୟ ଯିହୁଦୀ ଓ ଇସଲାମ ଧର୍ମରେ ସମନ୍ବୟ ଦେଖିବାକୁ ମିଳେ । ଯିହୁଦୀଙ୍କ ମାନେ ବିଶ୍ବାସ କରନ୍ତି ଯେ, ସେମାନଙ୍କ ଭଗବାନ ଏଯାଏଁ ଅବତରୀ ନାହାଁନ୍ତି, ଆଉ ଯଦି କେବେ ଆସିବେ ତେବେ ପ୍ରଥମେ ପୂର୍ବ ଜେରୁଜେଲମରେ ଥିବା ଟେମ୍ପଲ ମାଉଣ୍ଟ ଦେଇ ହିଁ ଆସିବେ । ସେପଟେ ମକ୍କା ଓ ମଦିନା ପରେ ମୁସଲମାନ ଅଲ-ଅସ୍କା ମସଜିଦକୁ ସବୁଠାରୁ ପବିତ୍ର ମାନନ୍ତି । ହଜାରେ ବର୍ଷ ପୂର୍ବେ ସେହି ସ୍ଥାନରେ ଯିହୁଦୀଙ୍କ ପ୍ରଥମ ମନ୍ଦିର ଥିଲା ମାତ୍ର ରୋମାନ ଶାସନ ସମୟରେ ଏହାକୁ ଭାଙ୍ଗି ମସଜିଦ ନିର୍ମାଣ କରାଗଲା । ପୁଣି ରୋମାନଙ୍କ ପରେ ଏଠାରେ ଦ୍ବିତୀୟ ମନ୍ଦିର ନିର୍ମାଣ କରାଗଲା, ଯାହାକୁ ପୁଣି ଭାଙ୍ଗିଦିଆଗଲା । ମନ୍ଦିର ଥିବା ପ୍ରମାଣ ନାଁରେ କେବଳ ଗୋଟିଏ କାନ୍ଥ ହିଁ ରହିଛି । ସେହି କାନ୍ଥରେ ମୁଣ୍ଡ ଦେଇ ଯିହୁଦୀ ପ୍ରାର୍ଥନା କରନ୍ତି । କାନ୍ଥ ଆରପଟେ ମସଜିଦ୍ ରହିଛି । ଅନେକ ସମୟରେ ମସଜିଦରୁ ଯିହୁଦୀଙ୍କ ଉପରେ ପଥର ମାଡ ମଧ୍ୟ କରାଯାଏ । ଏ ସବୁ ବିବାଦ ମଧ୍ୟରେ ଏପର୍ଯ୍ୟନ୍ତ ଜେରୁଜେଲମର ସେହି 35 ଏକର ଜମି ସବୁଠାରୁ ପବିତ୍ର ।
ମାତ୍ର ମେ 10ରେ ସେହି ପବିତ୍ର ମାଟିରେ ପଡିଥିଲା ରକ୍ତର ଛିଟା । ରମଜାନର ପବିତ୍ର ମାସରେ ସେଠାରେ ହୋଇଥିଲା ରକ୍ତପାତ । ନିକଟରେ ଥିବା ଶେଖ ଜରହାରେ ବର୍ତ୍ତମାନ ପାଲେଷ୍ଟାଇନଙ୍କୁ ହଟାଇ ଇସ୍ରାଏଲ ବସତି ସ୍ଥାପନା କରାଯାଉଛି । ଏହାକୁ ବିରୋଧ କରିଥିଲେ ପାଲେଷ୍ଟାଇନ୍ । ଏହି ବିରୋଧ ମଧ୍ୟରେ ଇସ୍ରାଏଲର ସେନା ହଠାତ୍ ଅଲ-ଅସ୍କା ମସଜିଦ ମଧ୍ୟରେ ପ୍ରବେଶ କରିଥିଲେ ଓ ଅତର୍କିତ ଗୁଳି ଚାଳଣା କରିଥିଲେ । ମସଜିଦ ମଧ୍ୟରେ ସୈନ୍ୟ ପ୍ରବେଶକୁ ବିରୋଧ କରାଯାଇଥିଲା, ଯାହାର ଜବାବରେ ଗାଜାର ହମାସ ସଂଗଠନ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ଏହାର ଜବାବରେ ଇସ୍ରାଏଲ ପୁଣି ପାଲେଷ୍ଟାଇନ ଉପରେ ଆକ୍ରମଣ କରିଥିଲା । ଏପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଆକ୍ରମଣ ଜାରି ରହିଛି । ଏହି ସମସ୍ତ ଆକ୍ରମଣରେ ଏବେ ସୁଦ୍ଧା ଇସ୍ରାଏଲର 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଲେଷ୍ଟାଇନର 132 ଜଣଙ୍କର ମୃତ୍ୟୁ ହେଲାଣି ।
ଇସ୍ରାଏଲ ଛୋଟିଆ ଦେଶ ମାତ୍ର ଯଦି ସୈନ୍ୟ ବଳ କଥା କହିବା ତେବେ ଏହା ଭାରତକୁ ମଧ୍ୟ ପରାସ୍ତ କରିବାର କ୍ଷମତା ରଖୁଛି । ନିଜେ ଆତ୍ମନିର୍ଭର, ଯଦି ସମ୍ପୁର୍ଣ୍ଣ ବିଶ୍ବ ଇସ୍ରାଏଲ ବିରୋଧରେ ଆସେ, ତଥାପି ସେ ଏକୁଠିଆ ଠିଆ ହୋଇ ରହିପାରିବ । ସେପଟେ ପାଲେଷ୍ଟାଇନ ପାଖରେ ନା ସୈନ୍ୟ ଅଛି ନା ଅସ୍ତ୍ର କିନ୍ତୁ ଶାନ୍ତି ବଦଳରେ ସେ ମଧ୍ୟ ପାଲଟ ଜବାବ ଦେଉଛି ଆଉ ପ୍ରତି ଥର ପରାସ୍ତ ହେଉଛି । ଯଦି ଯିହୁଦୀଙ୍କ ପାଇଁ କେବଳ ଇସ୍ରାଏଲ ଗୋଟିଏ ଦେଶ, ସେମାନଙ୍କ ପାଇଁ ଆଉ କୌଣସି ଦେଶରେ ସ୍ଥାନ ନାହିଁ । ଯଦି ସେମାନେ ନ ଲଢନ୍ତି ତେବେ ସମସ୍ତ ଆରବ ଦେଶ ଇସ୍ରାଏଲକୁ ସମୂଳେ ନାଶ କରିବା ଥୟ । ଯେଉଁଠି ଇସ୍ରାଏଲ ନିଜ ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି ସେଠି ପାଲେଷ୍ଟାଇନ ଯୁଦ୍ଧ ଜିତିବାକୁ ଲଢେଇ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ