ଗାନ୍ଧୀନଗର: ଦିଲ୍ଲୀରେ ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ଦିନ ଯେତେ ଗଡୁଛି ଅଭିଯୁକ୍ତ ଅଫତାବର ସେତେ ଗୁମର ସାମ୍ନାକୁ ଆସୁଛି । ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା ପରେ ନିୟମିସ ଡ୍ରଗ୍ସ ସେବନ କରୁଥିଲା । ଯାହା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିଥିଲା । ତେବେ ଅଫତାବ ଡ୍ରଗ୍ସ କେଉଁଠୁ ଆଣୁଥିଲା,ତାଙ୍କୁ କିଏ ଯୋଗାଉଥିଲା ଡ୍ରଗ୍ସ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ ଏହି ସବୁ ପ୍ରଶ୍ନ ଉପରୁ ହଟିଛି ପରଦା । ଡ୍ରଗ୍ସ ଯୋଗାଇବା ମାମଲାରେ ଜଣେ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରାଯାଇଛି । ଏହି ଡ୍ରଗ୍ସ ବ୍ୟବସାୟୀ ଜଣଙ୍କ ସୁରଟର ବାସିନ୍ଦା ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ହେଉଛି ଫୈସଲ ମୋମିନ ।
ଗିରଫ ପରେ ଜଣାପଡିଛି ଯେ ଫୈସଲ ଅଫତାବଙ୍କୁ ଡ୍ରଗ୍ସ ଯୋଗାଉଥିଲା । ଗିରଫ ଡ୍ରଗ୍ସ ପେଡଲର ଜଣଙ୍କର କଲ ରେକର୍ଡ ଯାଞ୍ଚ କରାଯିବା ନେଇ ସୂଚନା ମିଳିଛି । 4 ଦିନ ପୂର୍ବରୁ ସୁରଟ କ୍ରାଇମବ୍ରାଞ୍ଚ ଦ୍ୱାରା ଫୈସଲ ମୋମିନଙ୍କୁ ଗିରଫ କରାଯାଇଥିଲା । ପାଣ୍ଡେସରା ଏବଂ ଆମ୍ରୋଲିରେ 4 କୋଟି ଟଙ୍କାର ଡ୍ରଗ୍ସ କାରବାର ନେଇ ଫୈସଲଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିଲା । ଫୈସଲ ମୋମିନ ବର୍ତ୍ତମାନ ସୁରଟର ଲଜପୁର ଜେଲରେ ରହିଛି ।
ଏହା ମଧ୍ୟ ପଢନ୍ତୁ-ଭାରତ ଯୋଡ ଯାତ୍ରାରେ ପାକ ସମର୍ଥିତ ନାରା, କଂଗ୍ରେସ IT ମୁଖ୍ୟ ବିରୋଧରେ ଏତଲା
ସେହିପରି ଅଭିଯୁକ୍ତ ଅଫତାବର ରୋହିଣୀର ଫୋରେନସିକ୍ ସାଇନ୍ସ ଲାବ୍ରୋଟୋରୀରେ ଆଜି ପଲିଗ୍ରାଫ ପରୀକ୍ଷା ଚାଲିଛି । ତିନି ଦିନ ଧରି FSL କାର୍ଯ୍ୟାଳୟକୁ ନିଆଯିବା ସତ୍ତ୍ବେ ରବିବାର ପଲିଗ୍ରାଫ ପରୀକ୍ଷା ଶେଷ ହୋଇପାରିନଥିଲା । ତେଣୁ ଆଜି ପୁଣିଥରେ ପଲିଗ୍ରାଫ ଟେଷ୍ଟ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ଲିଭ ଇନ ରିଲେସନସିପରେ ରହୁଥିଲେ । ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଜାଣିବା ପରେ ସମ୍ପର୍କକୁ ବିରୋଧ କରିବା ସହ ଅଫତାବଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ଗତ ମେ’ ମାସରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା । ଏହା ପରେ ଶରୀରରକୁ ଖଣ୍ଡ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପକାଇ ଦେଇଥିଲା । ଶେଷରେ ହତ୍ୟାକାଣ୍ଡର ୫ ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।