ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଏକ ଲ୍ୟାବ INMAS ଦ୍ବାରା ପ୍ରସ୍ତୁତ କୋରୋନା ଔଷଧ 2-ଡିଓକ୍ସି-ଡି-ଗ୍ଲୁକୋଜ୍ (2-ଡିଜି)କୁ କୋଭିଡ ଚିକିତ୍ସା ପାଇଁ ଜରୁରୀକାଳୀନ ଅନୁମୋଦନ ଦେଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ ।
ଡିଆରଡିଓ ଓ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ (DRL) ସହଯୋଗରେ ଏହି ଔଷଧକୁ ବିକଶିତ କରାଯାଇଛି । ଏହାକୁ ନେଇ ହୋଇଥିବା କ୍ଲିନିକାଲ୍ ପରୀକ୍ଷା ଫଳାଫଳ ଦର୍ଶାଇଛି ଯେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ ଏବଂ ସପ୍ଲିମେଣ୍ଟାରୀ ଅମ୍ଳଜାନ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ‘2-ଡିଜି’ ଦ୍ବାରା ଚିକିତ୍ସିତ ରୋଗୀଙ୍କ ଅଧିକ ଅନୁପାତରେ ଅନ୍ୟ କୋଭିଡ ରୋଗୀମାନଙ୍କ ଠାରୁ ଆରଟିପିସିଆର ରିପୋର୍ଟରେ ନେଗେଟିଭ ଆସିଥିବା ଏକ ଅନୁଧ୍ୟାନରୁ ଜଣାପଡିଛି । ତେଣୁ ଏହାର ବ୍ୟବହାର କୋଭିଡ ରୋଗୀଙ୍କ ପାଇଁ ଲାଭ ଦାୟକ ହେବା ନେଇ ଡିଆରଡିଓ ଆଶା ପ୍ରକାଶ କରିଛି ।
ମହାମାରୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁସରଣ କରି ଡିଆରଡିଓ ‘2-ଡିଜି’ ର ଆଣ୍ଟି-କୋଭିଡ ଔଷଧ ପ୍ରସ୍ତୁତି ଆରମ୍ଭ କରିଥିଲା । ଗତ ବର୍ଷ ଏପ୍ରିଲ୍ ମହାମାରୀର ପ୍ରଥମ ଲହର ସମୟରେ,ଏଆଇଏମଏଏସ-ଡିଆରଡିଓ (INMAS-DRDO) ବୈଜ୍ଞାନିକମାନେ ହାଇଦ୍ରାବାଦର ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) ସହାୟତାରେ ଲାବୋରେଟୋରୀ ପରୀକ୍ଷଣ ଆରମ୍ଭ କରିଥିଲେ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର (DCGI) ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ମେ 2020 ରେ କୋଭିଡ-19 ରୋଗୀଙ୍କ ମଧ୍ୟରେ ‘2-ଡିଜି’ର ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେଇଥିଲା ।
ମେ’ ରୁ ଅକ୍ଟୋବର 2020 ମଧ୍ୟରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭିଡ-19 ରୋଗୀଙ୍କ ଠାରେ ଏହି ଔଷଧର ପ୍ରଭାବ ସୁରକ୍ଷିତ ଥିବା ଜଣାପଡିଥିଲା । ଦ୍ବିତୀୟ ପର୍ଯ୍ୟାୟ 6 ଟି ହସ୍ପିଟାଲରେ ଏବଂ ଦ୍ବିତୀୟ (କ) ପର୍ଯ୍ୟାୟରେ ଦେଶର 11 ଟି ହସ୍ପିଟାଲରେ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। 110 ରୋଗୀଙ୍କ ଉପରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଫଳାଫଳ ଅନୁସାରେ DCGI ନଭେମ୍ବର 2020 ରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେଲା। ଡିସେମ୍ବର 2020 ରୁ ମାର୍ଚ୍ଚ 2021 ମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟର 27 ଟି କୋଭିଡ ଡାକ୍ତରଖାନାରେ 220 ରୋଗୀଙ୍କ ଉପରେ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା।
ତେବେ ସମସ୍ତ ପର୍ଯ୍ୟାୟର ପରୀକ୍ଷଣ ପରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ । ବର୍ତ୍ତମାନ ଦେଶରେ କୋଭିଡ ସଂକ୍ରମଣର 2ୟ ଲହର ଭୟଙ୍କର ହାରରେ ବଢିଚାଲିଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।ଏପରି ସ୍ଥିତିରେ ଏହାକୁ ଅନୁମତି ଓ ଏହାର ବ୍ୟବହାର ମଧ୍ୟ ଦେଶବାସୀଙ୍କୁ ଲାଭ ପହଞ୍ଚାଇବା ନେଇ ଆଶା ପ୍ରକଟ କରିଛି ଡିଆରଡିଓ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ